‘ସ୍ପାଏ ବେଲୁନ୍‌’ ଖସାଇ ଥିବାରୁ କ୍ଷମାଭିକ୍ଷା କରିବି ନାହିଁ: ବାଇଡେନ୍‌

ୱାସିଂଟନ୍‌: ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ବାୟୁସେନା ଚୀନ୍‌ର ହାଇ-ଟେକ୍‌ ‘ସ୍ପାଏ ବେଲୁନ୍‌’କୁ ଖସାଇବା ବିଷୟରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ଦିନ କହିଛନ୍ତି।

ସେ କହିଛନ୍ତି, ରାଷ୍ଟ୍ରପତି ଜି’ଙ୍କ ସହିତ କଥାବାର୍ତ୍ତା କରିବି। ଏହି ଘଟଣାର ମୂଳ କାରଣ ଜାଣିବାକୁ ଚାହୁଁଛୁ।

ଆମେରିକା ନୂଆ ତିକ୍ତତା ସୃଷ୍ଟି କରିବାକୁ ଚାହୁଁ ନ ଥିବା ଉପରେ ଗୁରୁତ୍ବାରୋପ କରି ସେ ପୁଣି କହିଛନ୍ତି, ଉକ୍ତ ବେଲୁନ୍‌କୁ ଖସାଇଥିବା ଘଟଣା ପାଇଁ ମୁଁ କ୍ଷମା ଭିକ୍ଷା କରିବିନାହିଁ। ଆମେରିକାବାସୀଙ୍କ ସ୍ବାର୍ଥ ସୁରକ୍ଷା ଓ ତାଙ୍କର ନିରାପତ୍ତା ନିମନ୍ତେ ଆମେ ସଦାସର୍ବଦା କାର୍ଯ୍ୟ କରୁଛୁ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୪ ତାରିଖରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ଆମେରିକୀୟ ଲଢୁଆ ବିମାନ ଖସାଇ ଦେଇଥିବା ଉକ୍ତ ବେଲୁନ୍‌ଟି ପାଗ ସଂକ୍ରାନ୍ତରେ ଗବେଷଣା ନିମନ୍ତେ ଉଦ୍ଦିଷ୍ଟ ବେଲୁନ୍‌ ଯାହା ଅନିୟନ୍ତ୍ରିତ ହୋଇ ଆମେରିକା ଆକାଶକୁ ଉଡ଼ିଯାଇଥିଲା। କିନ୍ତୁ, ଗୁପ୍ତଚର କାର୍ଯ୍ୟରେ ସେ ବେଲୁନ୍‌ଟିକୁ ନିୟୋଜିତ କରାଯାଇଥିବା ପ୍ରମାଣ ପାଇଥିବା କଥା ଆମେରିକୀୟ ଅଧିକାରୀମାନେ କହୁଛନ୍ତି।

ଚୀନା ବେଲୁନ୍‌ ଏବଂ ତା’ପରେ ଖସାଇ ଦିଆଯାଇଥିବା ଆଉ ତିନୋଟି କ୍ଷୁଦ୍ର ବସ୍ତୁ ବିଷୟରେ ସ୍ପଷ୍ଟୀକରଣ ଦେଇ ବାଇଡେନ୍‌ କହିଛନ୍ତି, ସେ ୩ଟି କ୍ଷୁଦ୍ର ବସ୍ତୁ କ’ଣ ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ସମ୍ଭବତଃ ସେଗୁଡ଼ିକ ଏକ ପ୍ରକାରର ବେସାମରିକ ଯାନ ହୋଇପାରେ।  ସେଗୁଡ଼ିକ ଚୀନା ‘ସ୍ପାଏ ବେଲୁନ୍‌’ କାର୍ଯ୍ୟକ୍ରମ ସହିତ ସଂଶ୍ଳିଷ୍ଟ କିଂବା ଅନ୍ୟ କୌଣସି ଦେଶରୁ ଆସିଥିବା ସର୍ଭିଲେନ୍‌ସି ଯାନ, ତାହା ଏବେ ଜଣାପଡ଼ିନାହିଁ।

Comments are closed.