ପାକିସ୍ତାନର ସିଞ୍ଝୋରୋରେ ହିନ୍ଦୁ ମହିଳାଙ୍କ ମୁଣ୍ଡକାଟ କରାଯାଇ ଚମଡ଼ା ଉତ୍ତାରି ଦିଆଯାଇଛି: ସାଂସଦ

ନୂଆଦିଲ୍ଲୀ: ବୁଧବାର ଦିନ ପାକିସ୍ତାନର ସିଞ୍ଝୋରୋ ସହରରେ ଜଣେ ହିନ୍ଦୁ ସମ୍ପ୍ରଦାୟର ମହିଳାଙ୍କୁ ହତ୍ୟା କରାଯାଇଥିବା କଥା ପାକିସ୍ତାନର ଜଣେ ମହିଳା ସିନେଟର୍‌ କହିଥିବା ‘ଇଣ୍ଡିଆ ଟୁଡେ’ ଆଜି ରିପୋର୍ଟ କରିଛି।

ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟରୁ ସର୍ବ ପ୍ରଥମ ମହିଳା ସିନେଟର୍‌ କୃଷ୍ଣା କୁମାରୀ ଟୁଇଟ୍‌ ଲେଖିଛନ୍ତି ଯେ, ୪୦ ବର୍ଷୀୟ ଉକ୍ତ ମହିଳାଙ୍କର ମୁଣ୍ଡକାଟ କରାଯିବା ସହିତ ସ୍ତନ ମଧ୍ୟ କାଟି ଦିଆଯାଇଛି। ଏହାଛଡ଼ା, ଉକ୍ତ ମହିଳାଙ୍କ ଦେହ ଓ ମୁହଁରୁ ଚମଡ଼ା ଉତ୍ତରା ଯାଇଛି। ସେ ମହିଳାଙ୍କର ୪ଜଣ ସନ୍ତାନ ଅଛନ୍ତି।

ଘଟଣା ସଂକ୍ରାନ୍ତରେ ଅଧିକ ତଥ୍ୟ ଦେଇ ‘ପାକିସ୍ତାନ ପିପୁଲସ୍‌ ପାର୍ଟି’ର ନେତ୍ରୀ କୃଷ୍ଣା କୁମାରୀ ଟୁଇଟ୍‌ କରି ଲେଖିଛନ୍ତି: ୪୦ ବର୍ଷୀୟ ବିଧବା ଦୟା ଭେଲ୍‌ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଅତି କଦର୍ଯ୍ୟ ଅବସ୍ଥା ହୋଇଯାଇଥିବା ତାଙ୍କ ଶବ ଉଦ୍ଧାର କରାଯାଇଛି। ନୃଶଂସମାନେ ତାଙ୍କ ଗଣ୍ଡିରୁ ମୁଣ୍ଡକୁ ପୃଥକ୍‌ କରି ଦେବା ସହ କଟା ମୁଣ୍ଡରୁ ସମ୍ପୂର୍ଣ୍ଣ ଚମଡ଼ା ଉତ୍ତାରି ଦେଇଛନ୍ତି। ତାଙ୍କ ଗାଁକୁ ଯାଇଥିଲି। ସି‌ଞ୍ଝୋରୋ ଓ ଶାହପୁରଚକର୍‌ରୁ ପୁଲିସ ଟିମ୍‌ ମଧ୍ୟ ପହଞ୍ଚି ଥିଲେ।

‘ପାକିସ୍ତାନ ପିପୁଲସ୍‌ ପାର୍ଟି’ର ଅନ୍ୟତମ ନେତା ଜୀୟାଲା ଅମର ଲାଲ୍‌ ଭୀଲ୍‌ ମଧ୍ୟ କହିଛନ୍ତି ଯେ, ବୁଧବାର ଦିନ ଗୋଟାଏ ବିଲରୁ ସେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରାଯାଇଥିଲା।

ମହିଳାଙ୍କ ପରିବାର ଲୋକଙ୍କ ପାଖରୁ ପୁଲିସ ସବିଶେଷ ତଥ୍ୟ ସଂଗ୍ରହ କରୁଛି। ଶବ ବ୍ୟବଚ୍ଛେଦ ପରେ ଘଟଣା ବିଷୟରେ ଅଧିକ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Comments are closed.