ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭାଇଙ୍କ ପ୍ରଶଂସନୀୟ ପ୍ରୟାସ

ଖର୍ଚ୍ଚ ତୁଲାଇବାକୁ କରୁଛନ୍ତି ମୋ‌ମୋ ଓ ସୁପ୍‌ ବ୍ୟବସାୟ

କଟକ: ମୋମୋ ଓ ସୁପ୍‌ ବ୍ୟବସାୟ କରୁଛନ୍ତି ନବମ ଶ୍ରେଣୀର ଛାତ୍ର ତଥା ଦୁଇ ଭାଇ ଦର୍ଶିନୀ ପ୍ରଧାନ ଓ ଧ୍ରୁବ ପ୍ରଧାନ। ପାଠପଢ଼ା ବଜାୟ ରଖିବା ସହ ଦୁଇ ପଇସା ରୋଜଗାର କରି ନିଜ ମା’ଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ଭାଇ। ନିଜ ସଞ୍ଚୟ ଅର୍ଥରୁ ପ୍ରଥମ କରି ଏହି ମୋମୋ ଓ ସୁପ୍‌ ବ୍ୟବସାୟ ଆରମ୍ଭ କରି ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ।
କଟକ ବାଦାମବାଡ଼ି ସ୍ଥିତ ବିବେକାନନ୍ଦ ଲେନରେ ବାସ କରୁଥିବା ସ୍ବର୍ଗତ ଦିବାକର ପ୍ରଧାନ ଓ ମମତା ପ୍ରଧାନଙ୍କ ଦୁଇ ପୁଅ ଦର୍ଶିନୀ ପ୍ରଧାନ(୧୫) ଓ ଧ୍ରୁବ ପ୍ରଧାନ(୧୫)। ବାଦାମବାଡ଼ି ନିଉ କଲୋନୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର। ଦର୍ଶିନୀ ଓ ଧ୍ରୁବଙ୍କ ବାପାଙ୍କର ଛଅ ବର୍ଷ ତଳେ ଦେହାନ୍ତ ହୋଇଥିଲା। ଘରର ଆର୍ଥିକ ସମସ୍ୟା ଦୃଷ୍ଟିରୁ ପାଠପଢା ବଜାୟ ରଖିବାକୁ ଏବେ ଦର୍ଶିନୀ ଓ ଧ୍ରୁବ ପାଠପଢ଼ା ସହ କୌଣସି କାମ କରି ପରିବାରକୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ସେମାନେ ପ୍ରଥମେ ସଞ୍ଚୟ କରି ରଖିଥିବା ଅର୍ଥରୁ ଦୁଇଶହ ଟଙ୍କା ଖର୍ଚ୍ଚ କରି ଏହି ମୋମୋ ଓ ସୁପ୍‌ ବ୍ୟବସାୟ ବାଦାମବାଡ଼ି ବିବେକାନନ୍ଦ ଲେନ୍‌ ଅଞ୍ଚଳରେ ଆରମ୍ଭ କରିଥିଲେ। ସକାଳୁ ନିଜ ପାଠ ପଢ଼ା ଜାରି ରଖି ସ୍କୁଲ ଯାଇ ପରେ ସ୍କୁଲରୁ ଆସି ଲାଗି ପଡ଼ୁଛନ୍ତି ଏହି ବ୍ୟବସାୟରେ। ମା’ ମମତା ଏହି ବ୍ୟବସାୟ ପାଇଁ ଦୁଇ ପୁଅଙ୍କୁ ସମସ୍ତ ସହାୟତା କରିଥାନ୍ତି। ସେ ମୋମୋ ଓ ସୁପ ତିଆରି କରିଥାନ୍ତି। ଦୁଇ ଭାଇ ସଂଧ୍ୟାରେ ତାହାକୁ ନେଇ ବ୍ୟବସାୟ କରନ୍ତି। ଦୁଇ ଭାଇଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ବି ବେଶ ପ୍ରଶଂସା କରୁଛନ୍ତି। ଆଗାମୀଦିନରେ ପାଠପଢ଼ା ବଜାୟ ରଖିବା ସହ ଭବିଷ୍ୟତରେ ବଡ଼ ହୋଟେଲ କରିବା ପାଇ ଆଶା ରଖିଛନ୍ତି ଏହି ଦୁଇ ଭାଇ। ପାଠପଢ଼ା ସହ ଏପରି କିଛି ନୂଆ କରି କାମ କରିବାକୁ ବହୁତ ଖୁସି ଅନୁଭବ ହେଉଛି। ସମୟ ନଷ୍ଟ ନ କରି କୌଣସି କାମ କରି ଦୁଇ ପଇସା ରୋଜଗାର କରି ମା’ଙ୍କୁ ସହାୟତା କରିବାରେ ହିଁ ସବୁ ଖୁସି ରହିଛି। ଆଗାମୀ ଦିନରେ ତାରକା ହୋଟେଲ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଦର୍ଶିନୀ ପ୍ରଧାନ ଓ ଧ୍ରୁବ ପ୍ରଧାନ।

Comments are closed.