ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ଯୋଗୁଁ ‘ସିବିଆଇ’ ଅଧିକାରୀଙ୍କ ନାଁରେ ନରହତ୍ୟା ମାମଲା ରୁଜୁ

କୋଲ୍‌କାତା: ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତ ଲାଲନ୍‌ ଶେଖ୍‌ଙ୍କ ହାଜତ ମୃତ୍ୟୁ ଯୋଗୁଁ ପଶ୍ଚିମବଙ୍ଗ ପୁଲିସ ରେଜିଷ୍ଟ୍ରି କରିଥିବା ‘ଏଫ୍‌ଆଇଆର୍‌’ରେ ଉଚ୍ଚସ୍ତରୀୟ ‘ସିବିଆଇ’ ଅଧିକାରୀଙ୍କ ନାମ ଉଲ୍ଲେଖ କରିଛି।

ରାମପୁରହାଟରେ ସଂଘଠିତ ବୋମା ଆକ୍ରମଣ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ନେତା ଭାଦୁ ଶେଖ୍‌ ଏବଂ ଅନ୍ୟମାନଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ଲାଲନ୍‌ ଶେଖ୍‌। ସୋମବାର ଦିନ ‘ସିବିଆଇ’ ହାଜତରୁ ତାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ବୋଗତୁଇ ମାମଲାର ପ୍ରମୁଖ ଅଭିଯୁକ୍ତ ଲାଲନ୍‌ ଶେଖ୍‌ଙ୍କ ରହସ୍ୟମୟ ହାଜତ ମୃତ୍ୟୁ ଘଟଣାରେ ‘ସିବିଆଇ ଡିଆଇଜି’, ‘ସିବିଆଇ ଏସ୍‌ପି’ଙ୍କ ଓ ଅନ୍ୟମାନଙ୍କ ସମେତ ୭ଜଣ ‘ସିବିଆଇ’ ଅଧିକାରୀ ନାଁ ଉଲ୍ଲେଖ କରାଯାଇଛି। ‘ଏଫ୍‌ଆଇଆର୍‌’ରେ ନାମିତ ଅନ୍ୟ ଜଣେ ଅଧିକାରୀ ‘ଗୋରୁ ଚୋରାଚାଲାଣ’ ମାମଲାର ତଦନ୍ତ କରୁଛନ୍ତି।

ମଙ୍ଗଳବାର ଦିନ ଶେଖ୍‌ଙ୍କ ପତ୍ନୀ ରେଶ୍‌ମା ବିବି ରାମପୁରହାଟ ଥାନାରେ ଦାଏର କରିଥିବା ଅଭିଯୋଗରେ କହିଛନ୍ତି ଯେ, ତଦନ୍ତ କରିବା ପାଇଁ ବୋଗତୁଇ ଗାଁକୁ ଯାଇଥିବା ବେଳେ ‘ସିବିଆଇ’ ଅଧିକାରୀମାନେ ତାଙ୍କ ସ୍ବାମୀଙ୍କୁ ମାରିଦେବେ ବୋଲି ତାଙ୍କୁ ଧମକ ଦେଇଥିଲେ।

ବୋଗତୁଇ ନରସଂହାର ଘଟଣାରେ ପ୍ରମୁଖ ଅଭିଯୁକ୍ତ ଲାଲନ୍‌ ଶେଖ୍‌ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ବ ପଶ୍ଚିମବଙ୍ଗ ‘ସିଆଇଡି’ ଗ୍ରହଣ କରିଛି। ସୋମବାର ସନ୍ଧ୍ୟା ବେଳେ ‘ସିବିଆଇ’ କ୍ୟାମ୍ପ୍‌ ପରିସରସ୍ଥିତ ଶୌଚାଳୟରୁ ଶେଖ୍‌ଙ୍କୁ ଫାଶୀ ଲଗାଇ ମରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

୨୦୨୨ ମାର୍ଚ ମାସରେ ସଂଘଠିତ ବୋଗତୁଇ ନରସଂହାରରେ ବୀରଭୂମରେ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

Comments are closed.