ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରୁ ଏକ ବିବାହର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ପସନ୍ଦ କରି ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ଯାଆଁଳା ଭଉଣୀ ଦୁହେଁ ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି। ତେବେ ଏହି ବିବାହକୁ ନେଇ ଉଭୟ ବର ଓ କନ୍ୟା ପକ୍ଷ ଖୁସି ଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିଛି।
ସୋସିଆଲ ମିଡିଆରେ ଏହି ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଦୁଇଭଉଣୀ ପିଙ୍କି ଓ ରିଙ୍କି ଦୁହେଁ ଆଇଟି ଇଞ୍ଜିନିୟର ଓ ସେମାନେ ମୁମ୍ବାଇରେ କାମ କରନ୍ତି। ଦୁଇ ଯାଆଁଳା ଭଉଣୀ ଅତୁଲ ନାମକ ଯୁବକଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ଦୁହେଁ ପିଲାଟି ଦିନରୁ ଏକାଠି ରହି ଆସୁଥିବା ବେଳେ ବିବାହ ପରେ ବି ଏକାଠି ରହିବାକୁ ସ୍ଥିର କରିଥିଲେ।
ଏଭଳି ସମୟରେ ଦୁହିଁଙ୍କ ଜୀବନରେ ଅତୁଲ ନାମକ ଜଣେ ପୁରୁଷ ଆସିଥିଲେ। ଅତୁଲଙ୍କ ମୁମ୍ବାଇରେ ଟ୍ରାଭେଲ ଏଜେନ୍ସି ରହିଛି। ତେବେ ରିଙ୍କ ଓ ପିଙ୍କିଙ୍କ ବାପାଙ୍କ ମୃତ୍ୟୁ ହୋଇଯିବା ପରେ ସେମାନେ ମା’ଙ୍କ ସହିତ ରହୁଥିଲେ। ଏକଦା ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯିବା ପରେ ସେମାନେ ଅତୁଲଙ୍କ କାର ଭଡ଼ାରେ ନେଇଥିଲେ। ଏହି ସମୟରେ ଅତୁଲ ଦୁଇଭଉଣୀଙ୍କ ସଂସ୍ପର୍ଶରେ ଆସିଥିଲେ।
କିଛିଦିନ କଥାବର୍ତ୍ତା ହେବାପରେ ପିଙ୍କି ଓ ରିଙ୍କି ଅତୁଲଙ୍କୁ ବିବାହ କରିବେ ବୋଲି ସ୍ଥିର କରିଥିଲେ। ଏହାପରେ ଅତୁଲ ପିଙ୍କି ଓ ରିଙ୍କିଙ୍କୁ ବିବାହ କରିବେ ବୋଲି ଘରେ କଥା ପକାଇଥିଲେ। ଅତୁଲଙ୍କ ପରିବାରଲୋକ ରିଙ୍କି ଓ ପିଙ୍କିଙ୍କ ମା’ଙ୍କ ସହିତ କଥା ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ବିବାହରେ ତିନିଜଣ ଅର୍ଥାତ ଅତୁଲ, ରିଙ୍କି ଓ ପିଙ୍କି ବହୁତ ଖୁସି ଥିବା ବେଳେ ଅକଲଜ ପୁଲିସ ଥାନା ବର ବିରୋଧରେ ଧାରା ୪୯୪ରେ ମାମଲା ରୁଜୁ କରିଛନ୍ତି।
ଏହି ଧାରା ଅନୁଯାୟୀ, ସ୍ବାମୀ-ସ୍ତ୍ରୀ ଜୀବିତ ଥିବା ଅବସ୍ଥାରେ କେହି ବି ଅନ୍ୟ ଜଣଙ୍କୁ ବିବାହ କରି ପାରିବେ ନାହିଁ। ଏଭଳି ସ୍ଥିତିରେ ବିବାହ କରିବା ବେଆଇନ ଅଟେ। ଦୁଇଜଣ ମହିଳାଙ୍କୁ ବିବାହ କଲେ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନା ବି ରହିଛି। ତେବେ ଏହି ମାମଲା ଏଥିପାଇଁ ରୁଜୁ ହୋଇଛି କାରଣ ଦୁଇ ଜଣ ମହିଳାଙ୍କୁ ଏକାଠି ବିବାହ ହିନ୍ଦୁ ପ୍ରଥାରେ ନାହିଁ।
Comments are closed.