ଜନ୍ତରମନ୍ତରରେ ପୁଣି ଚାଷୀଙ୍କ ମହାମେଳି।

ଦିଲ୍ଳୀ : ପୁଣି ଦିଲ୍ଳୀ ମୁହାଁ ହୋଇଛନ୍ତି ଚାଷୀ । ଦିଲ୍ଲୀର ଜନ୍ତରମନ୍ତରରେ କୃଷକମାନେ ଦିନକ ପାଇଁ ମହାମେଳି କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ପାଖାପାଖି ୪୦ ସଂଗଠନ । ବିଭିନ୍ନ ଦାବି ନେଇ ଚାଷୀମାନେ ଏହି ମହାମେଳି କରିଛନ୍ତି । ଚାଷୀଙ୍କ ମୁଖ୍ୟ ଦାବି ହେଉଛି ଏମଏସପି ପାଇଁ ନୂଆ ଆଇନ୍ ଗଠନ କରାଯାଉ । ଏହାସହ ଚାଷୀଙ୍କ ସମସ୍ତ ଋଣ ଛଡ଼ାଯାଉ । ମହାମେଳିରେ ସାମିଲ ହେବା ପାଇଁ ବିଭିନ୍ନ ରାଜ୍ୟରୁ ଚାଷୀ ନେତାମାନେ ଦିଲ୍ଲୀ ପହଂଚିଛନ୍ତି । ହେଲେ ପୋଲିସ ସେମାନଙ୍କୁ ଅନୁମତି ଦେଇନାହିଁ । ଏହାରି ଭିତରେ ଜନ୍ତରମନ୍ତରରେ ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗି ଧଶେଇ ପଶିଛନ୍ତି ।

ଚାଷୀଙ୍କ ବିଭିନ୍ନ ଦାବି
– ସ୍ୱାମୀନାଥନ ଆୟୋଗଙ୍କ ରିପୋର୍ଟ ଅନୁସାରେ ଏମଏସପିର ଗ୍ୟାରେଂଟି ଅନୁସାରେ ଦିଆଯାଉ
– ଖେରି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ମିଳୁ
– କେନ୍ଦ୍ର ଗୃହରାଷ୍ଟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଗିରଫ କରାଯାଉ
– ୯ମାସ ଧରି ଜେଲରେ ଥିବା ଚାଷୀମାନଙ୍କୁ ଜାମିନ୍ ମିଳୁ
– ଦେଶର ସବୁ ଚାଷୀଙ୍କ ସମସ୍ତ ପ୍ରକାରର ଋଣ ଛଡ଼ାଯାଉ
– ବିଦ୍ୟୁତ ସମ୍ବନ୍ଧିତ ବିଲ୍-୨୦୨୦କୁ ବାତିଲ କରାଯାଉ
– ଆଖୁର ମୂଲ୍ୟ ବୃଦ୍ଧି କରାଯାଉ ଏବଂ ଆଖୁର ବକେୟା ରାଶିର ଭରଣା କରାଯାଉ
– ଭାରତକୁ ଡବ୍ଲ୍ୟୁଟିଓରୁ ବାହାରକୁ ଆସିବା ସରକାର ଏବଂ ସମସ୍ତ ବ୍ୟବସାୟିକ ବୁଝାମଣାକୁ ବାତିଲ କରାଯାଉ
– ଚାଷୀ ଆନ୍ଦୋଳନ ସମୟରେ ଚାଷୀଙ୍କ ଉପରେ ଲାଗିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରାଯାଉ
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବକେୟା ରାଶିର ତୁରନ୍ତ ଭରଣ କରାଯାଉ
– ଅଗ୍ନିପଥ ଯୋଜନାକୁ ବାତିଲ କରାଯାଉ

ମହାମେଳିରେ ସାମିଲ ହେବା ପାଇଁ ପଂଜାବ, ହରିୟାଣା, ଉତର ପ୍ରଦେଶ ସମେତ ଆଉ କିଛି ରାଜ୍ୟର ଚାଷୀ ଦିଲ୍ଲୀ ପହଂଚିଛନ୍ତି । ତେବେ ଦିଲ୍ଲୀ ପୋଲିସ ଏହାର ଅନୁମତି ଦେଇନାହିଁ । କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜିବ, ସେଥିପାଇଁ ପ୍ରସ୍ତୁତି କରିଛି ପୋଲିସ । ଗାଜିପୁର ବର୍ଡରରେ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଦିଲ୍ଳୀ ପୋଲିସ୍ ଗିରଫ କରିଛି । ଚାଷୀଙ୍କ ମହାମେଳି ଯୋଗୁଁ ଦିଲ୍ଲୀ-ଗାଜିପୁର ବର୍ଡରରେ ପ୍ରବଳ ଟ୍ରାଫିକ ଜାମ ହୋଇଛି । ଯେଉଁକାରଣରୁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଦିଲ୍ଲୀର ହରିୟାଣା ଓ ରାଜସ୍ଥାନକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୪୯ରେ ପିକେଟିଂ ଲଗାଯାଇ ଚେକିଂ କରାଯାଉଛି । ଅନ୍ୟପଟେ ସରକାର ଓ ଦିଲ୍ଲୀ ପୋଲିସକୁ ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି, ଯେଉଁଠାରେ ସେମାନଙ୍କୁ ରୋକାଯିବ, ସେଠାରେ ମହାମେଳି ଆରମ୍ଭ ହେବ । ଏହାରି ଭିତରେ ଭାରତୀୟ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ କହିଛନ୍ତି ଯେ ସେମାନେ ଧାରଣା ଦେବା ପାଇଁ ଦିଲ୍ଲୀ ଆସିନାହାନ୍ତି । ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଆସିଥିବା କହିଛନ୍ତି ।

କିଛି ବର୍ଷ ତଳେ ଦିଲ୍ଲୀ ଜନ୍ତରମନ୍ତରରେ ଚାଷୀମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ । ପରେ ସରକାର ସେମାନଙ୍କ ଦାବି ମାନିବା ପରେ ଆନ୍ଦୋଳନରୁ ହଟିଥିଲେ ଚାଷୀ । ତେବେ ବର୍ତମାନ ଏହି ମହାମେଳି ଆଗକୁ ମହାଆନ୍ଦୋଳନର ରୂପ ନେବ କି ନାହିଁ, ତାହା ପରବର୍ତୀ ସମୟରେ ଜଣାପଡ଼ିବ ।

Comments are closed.