ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡର ମାଷ୍ଟର୍‌ମାଇଣ୍ଡ୍‌ ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାର କାଲିଫର୍ଣ୍ଣିଆରେ ଅଟକ

ନୂଆଦିଲ୍ଲୀ: ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟର୍‌ମାଇଣ୍ଡ୍‌ ବୋଲି ମନେକରାଯାଉଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ତ୍ତୃପକ୍ଷମାନେ କାଲିଫର୍ଣ୍ଣିଆରେ ଅଟକ ରଖିଥିବା କଥା ଗୁଇନ୍ଦାସୂତ୍ରରୁ ଜଣାପଡ଼ିଛି।

ତାଙ୍କୁ ନେଇ ହାଜତରେ ରଖିଥିବା ‘ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ଏଫ୍‌ବିଆଇ) ଖୁବ୍‌ ଶୀଘ୍ର ଜେରା କରିବ ବୋଲି ମଧ୍ୟ ଗୁଇନ୍ଦା ଏଜେନ୍‌ସି କହିଛି। କିନ୍ତୁ, ଗୋଲ୍‌ଡି ବ୍ରାରଙ୍କ ଅଟକ ସଂକ୍ରାନ୍ତରେ କାଲିଫର୍ଣ୍ଣିଆ ପୁଲିସ ଏପର୍ଯ୍ୟନ୍ତ ଔପଚାରିକ ଭାବେ କୌଣସି ବିବୃତି ଦେଇନାହିଁ।

ସୂଚନାଯୋଗ୍ୟ, ବୁଧବାର ଦିନ ସିଦ୍ଧୁ ମୂସେୱାଲାଙ୍କ ବାପା ବାଲ୍‌କୌର୍‌ ସିଂହ କହିଥିଲେ ଯେ, କାନଡାରେ ରହୁଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାରଙ୍କୁ ଗିରଫ କରିବାରେ ଯିଏ ସହାୟତା କରିବ ତାଙ୍କୁ ସେ ୨ କୋଟି ଟଙ୍କା ଦେବେ। ବେର୍କାରେ ଗୋଟାଏ ବିବାହ ଅନୁଷ୍ଠାନରେ ଯୋଗ ଦେବା ନିମନ୍ତେ ସିଂହ ଅମୃତସର ଆସିଥିଲେ। ଗୋଲ୍‌ଡିଙ୍କୁ ଧରିବା ଲାଗି ପ୍ରୟୋଜନ ହେଲେ ସେ ତାଙ୍କ ଜମି ବିକିବାକୁ ପଛେଇ ଯିବେ ନାହିଁ।

ଉଲ୍ଲେଖଯୋଗ୍ୟ, ସତିନ୍ଦର୍‌ଜୀତ୍‌ ସିଂହ ଓରଫ ଗୋଲ୍‌ଡି ବ୍ରାର ହେଉଛନ୍ତି ପଞ୍ଜାବ ମୁକ୍ତସାର୍‌ ସାହିବର ବାସିନ୍ଦା। ୨୦୧୭ରେ ସେ ଛାତ୍ର ଭିସାରେ କାନଡା ଯାଇଥିଲେ। ସେ ଦୁର୍ଦ୍ଦର୍ଷ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍‌ସ୍‌ ବି‌ଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ସକ୍ରିୟ ସଦସ୍ୟ। ଗତ ମାସରେ ହୋଇଥିବା ‘ଡେରା ସଚ୍ଚା ସୌଦା’ ଅନୁଗାମୀଙ୍କ ହତ୍ୟାକାଣ୍ଡରେ ତାଙ୍କର ଭୂମିକା ଥିବା କଥା ସନ୍ଦେହ କରାଯାଉଛି।

Comments are closed.