ବିରଜା ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ; ମା’ଙ୍କର ହେଲା ମହାସାନ, ଦର୍ଶନ ପାଇବାରୁ ଶ୍ରଦ୍ଧାଳୁ ବଞ୍ଚିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଜଣେ ଅଣହିନ୍ଦୁ ପ୍ରବେଶ କରିଛନ୍ତି। ଏହାକୁ ନେଇ ବିରଜାବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ ହୋଇଛି। ଅଣହିନ୍ଦୁଙ୍କ ପ୍ରବେଶ ଯୋଗୁଁ ମନ୍ଦିରରେ ଶୋଧନ କାର୍ଯ୍ୟ ହୋଇଛି। ତେଣୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଛନ୍ତି।

ସୂଚନା ଅନୁସାରେ ଗତ ୨୦ ତାରିଖରେ ଯାଜପୁରକୁ ଏକ ମେଲୋଡି ଦଳ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ମେଲୋଡି ଦଳର ସଦସ୍ୟ ତାରିକ ଅଜିଜ୍‌ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ସେ ମା’ଙ୍କ ଦର୍ଶନ କରିଥିଲେ ଏବଂ ପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଇନଷ୍ଟାଗ୍ରାମ’ରେ ଫଟୋ ଅପ୍‌ଲୋଡ କରିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ପରେ ତାରିକ ଅଜିଜଙ୍କ ସହ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ ପାଇଁ ବିରଜାବାହିନୀ ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଅଣହିନ୍ଦୁ ପ୍ରବେଶ ଉପରେ ରୋକ ଥିବାବେଳେ କିପରି ମନ୍ଦିର ମଧ୍ୟକୁ ଏହି ଅଣହିନ୍ଦୁ ପ୍ରବେଶ କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଆଜି ଏଥିନେଇ ମନ୍ଦିରରେ ଶୋଧନ କାର୍ଯ୍ୟ ଚାଲୁଥିବା ବେଳେ ଆସିଥିବା ଶ୍ରଦ୍ଧାଳୁମାନେ ମା’ ବିରଜାଙ୍କ ଦର୍ଶନ ନପାଇ ଫେରି ଯାଇଥିଲେ। ଏଥିସହ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ମନ୍ଦିର ସେବାୟତ ନିରବ ରହିବା ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି। ଆଉ ଏପଟେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବିରଜାବାହିନୀ ୨୪ ଘଂଟା ମଧ୍ୟରେ ମଧ୍ୟରେ ଗିରଫ ନ କରାଗଲେ ଶାନ୍ତିପୂର୍ଣ୍ଣ ଭାବେ ମନ୍ଦିର ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି। ଅନ୍ୟପଟେ ମା’ଙ୍କୁ ମହାସାନ କରାଯାଇଥିବାରୁ ବହୁ ସମୟ ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ହଟହଟା ହୋଇଥିଲେ।

Comments are closed.