ମହାଦେବଙ୍କ ହଟହଟା

ବୃକାସୁର ନାମେ ଥିଲା ଏକ ମହାଦୈତ୍ୟ l
ମହାବଳୀ ଶକୁନି ଦୈତ୍ୟର ସେହି ସୂତ ll
ଅମର ଅଭିଳାଷେ ସେ ଘୋର ତପକରି l
ତୋଷକଲା ରକ୍ଷଵୀର ପ୍ରଭୁ ତ୍ରିପୁରାରୀ ll
ତୋଷହୋଇ ପ୍ରଭୁ ଆଶୁତୋଷ ଶ୍ରୀଶଙ୍କର l
ପୁଚ୍ଛା କଲେ ରାକ୍ଷସକୁ କିସ ନେବୁ ବର ll
ବୃକାସୁର ଏଥେ ମହା ହର୍ଷ ଭର ହୋଇ l
କହିଲା ଅମରବର ଦିଅ ହେ ଗୋସାଇଁ ll
ଶିବ ବୋଲନ୍ତି ରାକ୍ଷସେ ସେ ଅମରବର l
ପ୍ରଦାନେ ତା’ ବତ୍ସ ଶକ୍ତିନାହିଁଟି ମୋହର ll
ଜନମର ସାଥେ ଅଛି ଅବଶ୍ୟେ ମରଣ l
ଅନ୍ୟ ବର ମାଗ ଯହିଁ ହେବୁ ବଳିୟାନ ll
ବୃକ ବୋଲେ ତହୁଁ ପ୍ରଭୁ ଏହି ବର ଦିଅ l
ଶିରେ ଯା ହାତ ରଖିବି ଭଷ୍ମହେବ ଥୟ ll
ଆଶୁତୋଷ, ଭୋଳାନାଥ,ଶିବଶମ୍ଭୁ ହର l
ଅସ୍ତୁ ବୋଲି କହି ତାଙ୍କୁ ପରଷିଲେ ବର ll
ରାକ୍ଷସ ଜନମ ଯେଣୁ ରାକ୍ଷସ ସ୍ଵଭାବେ l
ତୁମ୍ଭରେ ପରଖିନେବି କହି ମହାଦେବେ ll
ଖରେ ଗୋଡ଼ାଇଲା ଶିରେ ରଖିବାକୁ ହାତ l
ଦଉଡ଼ିଲେ ଅତିଭୟେ ଦେବ ଭୋଳାନାଥ ll
ଶ୍ରୀବିଷ୍ଣୁଙ୍କ ପାଶେ ଯାଇ ପଶିଲେ ଶରଣ l
ରକ୍ଷା କର ରକ୍ଷା କର ଆହେ ନାରାୟଣ ll
ଶିବଙ୍କ ପଛେ ଗୋଡ଼ାଇ ପହଞ୍ଚେ ରାକ୍ଷସ l
ବିଷ୍ଣୁ ପୁଛିଲେ ବାବୁରେ ହୋଇଅଛି କିସ ll
ଅସୁର କହେ ବରଟି ଦେଲେ ଭୋଳାନାଥ l
ଭଷ୍ମ ହେବ ମୁହିଁ ଯାର ଶିରେ ଦେବି ହାତ ll
ସେ ବର ସତ୍ୟ କି ମିଥ୍ୟା ପରଖିବା ପାଇଁ l
ଭୋଳାନାଥ ଶିରେ ହାତ ଥାପିବଇଁ ମୁହିଁ ll
ବିଷ୍ଣୁ ବୋଲନ୍ତି ବାବୁରେ ଶିବ ବର ସତ୍ୟ l
ହୋଇଛି କି କାହିଁ ଯାର ସାଥି ଭୁତପ୍ରେତ ll
ଲଙ୍ଗଳା ସ୍ମଶାନ ବାସୀ ଗଳେ ମାଳା ଅହି l
ପରଖିନିଅ ତୋ ନିଜ ଶିରେ ହାତ ଦେଇ ll
ଶ୍ରୀବିଷ୍ଣୁଙ୍କ ମାୟା ଦୈତ୍ୟ ବୁଝି ନପାରିଲା l
ଶିରେ ହସ୍ତ ଥାପି ତହୁଁ ଭଷ୍ମ ହୋଇଗଲା ll
ନାମ ବିଖ୍ୟାତ ହୋଇଲା ତହୁଁ ଭଷ୍ମାସୁର l
ଶ୍ରୀବିଷ୍ଣୁଙ୍କଯୋଗୁଁ ରାକ୍ଷା ପାଇଗଲେ ହର ll
ବାର୍ତ୍ତା ରହି ଅଛି ଅପାତ୍ରରେ ଦାନ ଦେଇ l
ମହାଦେବ ପଳାଇଲେ ଉଲଗନ ହୋଇ ll
ନମଃନମଃ ଶିବ ଶମ୍ଭୁ ନମଃ ଆଶୁତୋଷ l
କର୍ଣ୍ଣ ସଦା ମୋର ଶୁଣୁ ଡମ୍ବରୁ ନିର୍ଘୋଷ ll

ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.