ଶ୍ରୀରାମଙ୍କ ବୈଷ୍ଣବଧନୁ ପ୍ରାପ୍ତି

ଅର୍ଜୁନୀ ଚରଣ ବେହେରା

ପ୍ରଭୁ ଶ୍ରୀରାମଙ୍କ ଚଉଦ ବର୍ଷ ବନବାସ ଅବଧିରୁ ଦଶବର୍ଷ କଟି ଯାଇ ଥାଏ l ଦଣ୍ଡକ ବନରେ ପ୍ରଭୁ ଦିନେ ଭ୍ରମଣ କରୁ କରୁ ଯାଇ ମହର୍ଷି ସୁତୀକ୍ଷ୍ମଙ୍କ ଆଶ୍ରମରେ ପହଞ୍ଚିଲେ l ଶ୍ରୀରାମ ସେଠାରେ କିଛି ଦିନ ରହି,ଦିନେ ମୁନି ସୁତୀକ୍ଷ୍ମଙ୍କୁ ପଚାରିଲେ,ହେ ମହାଭାଗ ! ଏହି ଅରଣ୍ୟରେ ମୁଁ ମହର୍ଷି ଅଗସ୍ତ୍ୟ ବାସ କରୁଥିବାର ଶୁଣିଛି l ତାଙ୍କ ଦର୍ଶନ ନିମନ୍ତେ ଆମ ମନରେ ପ୍ରବଳ ଆକାଂକ୍ଷା ଜାଗ୍ରତହେଉଛି l ମାତ୍ର ମହର୍ଷି କେଉଁଠାରେ ରହୁଛନ୍ତି ତାହା ଆମେ ଜାଣି ପାରୁନାହୁଁ l ଦୟାପୂର୍ବକ ଆମକୁ ତାଙ୍କ ବାସ ସ୍ଥାନ ନିର୍ଦ୍ଦେଶକଲେ ଆମେ କୃତାର୍ଥ ହୁଅନ୍ତୁ l ମୁନି ସୁତୀକ୍ଷ୍ମ ଅତ୍ୟନ୍ତ ପ୍ରୀତ ହୋଇ କହିଲେ, ତାହା ମୁଁ ମଧ୍ୟ ଚାହୁଁଥିଲି l ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମକୁ ପଥ ନିର୍ଦ୍ଦେଶ କରି ସୁତୀକ୍ଷ୍ମ କହିଲେ, ଏଠାରୁ ଦକ୍ଷିଣକୁ ଚାରି ଯୋଜନ ଯିବାପରେ ମନୋରମ ଅଶ୍ୱତ୍ଥବୃକ୍ଷ ଶୋଭିତ ଗୋଟିଏ ଉପବନ ପଡ଼ିବ l ସୁନ୍ଦର ଏକ ପୁଷ୍କରିଣୀ ମଧ୍ୟ ପାଖରେ ଅଛି l ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମ ସେହିଠାରେ ଅବସ୍ଥିତ l
ଶ୍ରୀରାମ ସୁତୀକ୍ଷ୍ମଙ୍କ ନିର୍ଦ୍ଦେଶିତ ପଥରେ କିଛିପଥ ଗଲାପରେ ସେହି ସୁନ୍ଦର ଉପବନଟି ଆସିଗଲା l ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ଏହିଠାରେ ଆମେ ମହର୍ଷି ଅଗସ୍ତ୍ୟଙ୍କୁ ଦର୍ଶନ କରିବା l ମହର୍ଷି ନିଜ ତେଜ ବଳରେ ଏ ବନ ଭୂମିକୁ ରାକ୍ଷସଶୂନ୍ୟ କରି ଦେଇଛନ୍ତି l ପୁଣି ଶ୍ରୀରାମ କହିଲେ,ଲକ୍ଷ୍ମଣ ମହାମୁନୀ ଅଗସ୍ତ୍ୟ, ନିଜର କାର୍ଯ୍ୟ ବଳରେ ଏହି ନାମରେ ଖ୍ୟାତ ହୋଇଛନ୍ତି l ଅଗ ଅର୍ଥ ପର୍ବତକୁ ସ୍ତମ୍ଭନ କରି ଥିବା ହେତୁ ତାଙ୍କର ନାମ ହୋଇଛି, ଅଗସ୍ତ୍ୟ l ଏକଦା ବିନ୍ଧ୍ୟପର୍ବତ ହିମାଳୟଙ୍କ ସହ ପ୍ରତିଯୋଗିତା କରି ବଢ଼ିବାକୁ ଲାଗିବାରୁ ସୂର୍ଯ୍ୟଙ୍କ ପଥ ରୋଧ ହେଲା l ବିନ୍ଧ୍ୟ ପର୍ବତଙ୍କ ଗୁରୁ ଥିଲେ ଅଗସ୍ତ୍ୟ l ତେଣୁ ସେ ତାଙ୍କ ପାଖରେ ପହଞ୍ଚିବାରୁ ମୁଣ୍ଡ ନୁଆଇଁ ବିନ୍ଧ୍ୟ ପର୍ବତ ନମସ୍କାର କଲେ l ମୁଁ ଦକ୍ଷିଣକୁ ଯାଉଛି,ମୁଁ ନ ଫେରିବା ପର୍ଯ୍ୟନ୍ତ ତୁମେ ଏହିପରି ଥାଅ l ଏହା କହି ଅଗସ୍ତ୍ୟ ଚାଲିଗଲେ l ବିନ୍ଧ୍ୟ ଆଉ ନବଢ଼ି, ସେହି ପରି ରହିଲେ l ଥରେ ମହର୍ଷି ସମୁଦ୍ରରେ ଲୁଚି ରହୁଥିବା ରାକ୍ଷସମାନଙ୍କ ନିଧନପାଇଁ ଦେବଗଣଙ୍କ ପ୍ରାର୍ଥନାରେ ସପ୍ତସିନ୍ଧୁର ଜଳ ଚଳୁ କରି ଦେଇ ଥିଲେ l ଏହିପରି ଶ୍ରୀରାମ ମହର୍ଷି ଅଗସ୍ତ୍ୟଙ୍କ କୀର୍ତ୍ତୀ କୀର୍ତ୍ତନ କରି, ସେଦିନ ମହର୍ଷିଙ୍କ ସାନଭାଇଙ୍କ ଆଶ୍ରମରେ ମହାନନ୍ଦରେ ରାତ୍ରୀଯାପନ କଲେ l
ପ୍ରଭାତରୁ ମୁନୀଙ୍କ ଠାରୁ ବିଦାୟ ନେଇ ଅଗସ୍ତ୍ୟ ମୁନିଙ୍କ ଆଶ୍ରମ ଦିଗରେ ଯାତ୍ରା କଲେ l ତ୍ରିଲୋକ ବନ୍ଦିତ ମହର୍ଷି ଅଗସ୍ତ୍ୟଙ୍କ ମନୋରମ ଆଶ୍ରମରେ ପହଞ୍ଚି ଶ୍ରୀରାମ ଅତ୍ୟନ୍ତ ଆନନ୍ଦ ହୋଇ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ! ମୁଁ ଭାବୁଛି ବନବାସର ଶେଷ ପର୍ଯ୍ୟାୟ ଆମେ ଏହିଠାରେ ଅତିବାହିତ କରିବା l କାରଣ ଦେବ ଗନ୍ଧର୍ବ ସେବିତ, ମିଥ୍ୟା, ସଠତା, କ୍ରୁରତା ଆଦି ନ ଥିବା ଏପରି ସ୍ଥାନ ସଂସାରରେ ବିରଳ l ଶ୍ରୀରାମ, ଦର୍ଶନ ପାଇଁ ଅନୁମତି ଆଣିବା ପାଇଁ ପ୍ରଥମେ ଲକ୍ଷ୍ମଣଙ୍କୁ ପଠାଇଲେ l ସେ ଯାଇ ମୁନିଙ୍କ ଜଣେ ଶିଷ୍ୟଙ୍କୁ ତାଙ୍କର ଅଭିଳାଷ ବ୍ୟକ୍ତ କଲେ l ସେହି ଶିଷ୍ୟ ଠାରୁ ମୁନି ଅଗସ୍ତ୍ୟ ଖବର ପାଇ ନିଜେ ଆସି ଶ୍ରୀରାମ,ଜାନକୀ ଓ ଲକ୍ଷ୍ମଣଙ୍କୁ ପାଛୋଟି ନେଲେ l
ମହାମୁନୀଙ୍କ ଚରଣ ବନ୍ଦନା କରି ପ୍ରଭୁ ଶ୍ରୀରାମ ଆଶ୍ରମରେ ପ୍ରବେଶ କଲାରୁ ମହର୍ଷି ତାଙ୍କୁ ପାଦ୍ୟ, ଅର୍ଘ୍ୟଦେଇ ପୂଜାକରି କହିଲେ,ହେ ରାମ ! ତୁମେ ବୀର,ଧୀର,ଧର୍ମଜ୍ଞ ଏବଂ ସମସ୍ତ ଲୋକର ରାଜା l ତୁମ ପରି ଅତିଥି ସର୍ବଦା ପୂଜ୍ୟ l ଫଳ, ପୁଷ୍ପ ଓ ବିଭିନ୍ନ ମୂଳ ଉପହାର ଦେଇ ସେ ପୁଣି କହିଲେ, ହେ ନରୋତ୍ତମ ! ସ୍ବର୍ଣ୍ଣ ଏବଂ ରତ୍ନ ବିଭୂଷିତ ଏହି ଦିବ୍ୟ ବୈଷ୍ଣବ ଧନୁକୁ ମୁଁ ତୁମକୁ ପ୍ରଦାନ କରୁଛି l ଦେଵଶୀଳ୍ପି ବିଶ୍ୱକର୍ମା ଏହାକୁ ନିର୍ମାଣ କରିଥିଲେ l ପୂର୍ବେ ବିଷ୍ଣୁ ଏହି ଧନୁ ଦ୍ୱାରା ବହୁ ଅସୁର ସଂହାର କରିଥିଲେ l ସୂର୍ଯ୍ୟସମ ଦୀପ୍ତିମାନ ଏହି ଅମୋଘ ଶର,ସ୍ୱର୍ଣ୍ଣମୟ କୋଷ ଓ ସୁବର୍ଣ୍ଣମଣ୍ଡିତ ଖଡ୍ଗ ଏବଂ ବହୁ ତେଜୀୟାନ ନାରାଚରେ ପୂର୍ଣ୍ଣ ଏହି ତୁଣୀର ପୂର୍ବେ ଦେବରାଜଇନ୍ଦ୍ର ମୋତେ ଦାନ କରିଥିଲେ l ତୁମେ ଦେବ ରାଜଙ୍କ ଏହି ସମସ୍ତ ଶକ୍ତିକୁ ଗ୍ରହଣ କରି ବିଜୟ ଲାଭ କର l ସମସ୍ତ ଆୟୁଧ ରାମଙ୍କୁ ପ୍ରଦାନ କଲା ପରେ ମୁନି ଅଗସ୍ତ୍ୟ ମାଆ ସୀତାଙ୍କ ପ୍ରଶଂସା କରି କହିଲେ,ମା’ ସୀତା ଅନନ୍ୟା,ନାରୀ ମାନଙ୍କ ମଧ୍ୟରେ ତାଙ୍କର ତୁଳନା ନାହିଁ l ସେ ଅତି ସୁକୁମାରୀ,ସେ କେବେହେଲେ ଦୁଃଖ ଭୋଗକରି ନାହାଁନ୍ତି l ସେ ସ୍ବେହବଶ ହୋଇ ତୁମ ସହ ଘୋର ବନବାସ ଦୁଃଖକୁ ଆନନ୍ଦରେ ଆଦରିନେଇଛନ୍ତି l ସେ ଅରୁନ୍ଧତୀଙ୍କ ପରି ପ୍ରଶଂସନୀୟା l
ଶ୍ରୀରାମ କହିଲେ, ଆପଣ ଆମ ଉପରେ ସନ୍ତୁଷ୍ଟ ହୋଇଛନ୍ତି,ଏଥିରେ ମୁଁ ନିଜକୁ ଅନୁଗୃହୀତ ଏବଂ ଧନ୍ୟ ମନେ କରୁଛି l ହେ ମୁନୀ ଶ୍ରେଷ୍ଠ ! ଆପଣ ମୋତେ ଏପରି ଗୋଟିଏ ସ୍ଥାନ କୁହନ୍ତୁ, ଯେଉଁଠି ଯଥେଷ୍ଟ ପରିମାଣର ଜଳ ଏବଂ ସୁନ୍ଦର ଅରଣ୍ୟ ପ୍ରଦେଶ ଥିବ,ମୁଁ ସେଠାରେ ଏକ ଆଶ୍ରମ ନିର୍ମାଣ କରି ବାସ କରିବି l ଅଗସ୍ତ୍ୟ କହିଲେ, ଏହି ଠାରୁ ମାତ୍ର ଦୁଇ ଯୋଜନ ଦୂରରେ ଫୁଲଫଳ ଶୋଭିତ ଓ ଜଳପୂର୍ଣ୍ଣ ପଞ୍ଚବଟୀ ନାମକ ଏକ ସୁନ୍ଦର ବନ ଅଛି l ସେ ବନରେ ବହୁ ସଂଖ୍ୟକ ମୃଗ ଅଛନ୍ତି l ତୁମେ ସେଠାରେ ସ୍ୱଚ୍ଛନ୍ଦରେ ବାସ କରିପାରିବ l ଗୋଦାବରୀ ତୀରର ସେହି ମନୋରମ ଅରଣ୍ୟ ମୈଥିଳୀଙ୍କ ପାଇଁ, ମଧ୍ୟ ଆନନ୍ଦ ଦାୟକ ହେବ l ତୁମେ ଲକ୍ଷ୍ୟ କର, ଏଠାରୁ ଯେଉଁ ଅଶୋକ ବନ ଦେଖା ଯାଉଛି,ତାହା ପାରି ହେଲେ ଏକ ବିଶାଳ ବୃକ୍ଷକୁ ଦେଖିବ l ତାହାର ଉତ୍ତରକୁ ଯାତ୍ରା କଲେ ତୁମେ ଅଳ୍ପ ସମୟପରେ ପୁଷ୍ପିତ ସେହି ପଞ୍ଚବଟୀ ବନରେ ପହଞ୍ଚିଯିବ l
ଶ୍ରୀରାମ,ସୀତା,ଲକ୍ଷ୍ମଣ ଋଷିଙ୍କ ପଦ ବନ୍ଦନା କରି ତାଙ୍କ ଠାରୁ ବିଦାୟ ନେଇ, ପଞ୍ଚବଟୀ ଅଭିମୁଖେ ଯାତ୍ରା କଲେ l ଯିବା ବେଳେ ବାଟରେ ସେମାନେ ଏକ ଭୀମକାୟ ଗୁଧ୍ର ପକ୍ଷୀକୁ ବଟ ବୃକ୍ଷ ଉପରେ ବସିଥିବାର ଦେଖିଲେ l ତାକୁ କୌଣସି ମାୟାବୀ ରାକ୍ଷସ ମନେ କରି, ଶ୍ରୀରାମ ତାହାର ପରିଚୟ ପଚାରିଲେ l ଗୁଧ୍ର ପକ୍ଷୀଟି ଅତି ବିନୟ କଣ୍ଠରେ କହିଲା ମୁଁ ତୁମ ପିତାଙ୍କର ସଖା l ପ୍ରଭୁ ଶ୍ରୀରାମ କୌତୁହଳୀ ହୋଇ, ତାଙ୍କର ବିଶେଷ ପରିଚୟ ପଚାରିଲେ l ଗୁଧ୍ର ପକ୍ଷୀଟି କହିଲା, ବିନତାଙ୍କର ଦୁଇ ପୁତ୍ର ଗରୁଡ଼ ଓ ଅରୁଣ l ଅରୁଣଙ୍କ ବଂଶରେ ମୁଁ ଜନ୍ମହୋଇଛି l ମୋର ନାମ ଜଟାୟୁ,ମୋ ବଡ଼ ଭାଇ ସମ୍ପାତ୍ତି l ବହୁପୂର୍ବରୁ ତୁମ ପିତା ଦଶରଥଙ୍କ ସହ ମୋର ମିତ୍ରତା ରହି ଆସିଛି l ଜଟାୟୁ ପୁଣି କହିଲେ :-
ସୋହଂ ବାସସହାୟସ୍ତେ ଭବିଷ୍ୟାମି ଯଦିଚ୍ଛସି l
ଇଦଂ ଦୁର୍ଗହିକାନ୍ତାରଂ ମୃଗରାକ୍ଷସ ସେବିତମ୍ ll
ସୀତାଂ ଚ ତାତ ରକ୍ଷୀଷ୍ୟେ,
ତ୍ବୟୀ ୟାତେ ସଲକ୍ଷ୍ମଣମ୍ ll
ଅର୍ଥାତ୍ ତୁମେ ଯଦି ଚାହିଁବ, ମୁଁ ତୁମର ସହାୟକ ହୋଇ ପାରିବି l ହିଂସ୍ର ପଶୁ,ରାକ୍ଷସ ସଂକୁଳ ଏହି ଭୀଷଣ ବନରେ ତୁମେ ବା ଲକ୍ଷ୍ମଣ କେଉଁ ଆଡ଼େ ଯାଇଥିଲାବେଳେ ସୀତାଙ୍କୁ ମୁଁ ରକ୍ଷାକରିବି l ପ୍ରଭୁ
ଶ୍ରୀରାମ ଆନନ୍ଦରେ ଜଟାୟୁଙ୍କ ଆଲିଙ୍ଗନ କଲେ ଏବଂ ତାଙ୍କୁ ସାଙ୍ଗରେ ଧରି ଲକ୍ଷ୍ମଣ ଓ ଜାନକୀଙ୍କ ସହ ପଞ୍ଚବଟୀରେ ପ୍ରବେଶ କଲେ l
!!! ଜୟ ଶ୍ରୀରାମାୟଣଜୀ କି !!!
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.