ବିଜେପି ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୁଣି ଥରେ ହାତ ମିଳାଇ ପାରନ୍ତି: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାରତୀୟ ଜନତା ପାର୍ଟି(ବିଜେପି) ସହ ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ପଡିଲେ ସେ ପୁଣି ଥରେ ବିଜେପି ସହ ହାତ ମିଳାଇ ପାରନ୍ତି। ବୁଧବାର ଏମିତି ଦାବି କରିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ତେବେ ତାଙ୍କର ଏମିତି ଦାବିକୁ ଖଣ୍ଡନ କରିଛି ନୀତିଶଙ୍କ ନେତୃତ୍ଵାଧୀନ(ଜେଡିୟୁ)। ଦଳ କହିଛି ପ୍ରଶାନ୍ତ କିଶୋର ଏମିତି କହି ଜନତାଙ୍କୁ ଭ୍ରମିତ କରିଛନ୍ତି।

ପ୍ରଶାନ୍ତ କିଶୋର ସଂପ୍ରତି ବିହାରରେ ପଦଯାତ୍ରା କରୁଛନ୍ତି। ତାଙ୍କର ଏହି ଯାତ୍ରାକୁ ରାଜନୀତିରେ ପାଦ ଦେବା ପୂର୍ବରୁ ପ୍ରଥମ  ପଦକ୍ଷେପ ଭାବେ ଦେଖା ଯାଉଛି। ସେ କହିଛନ୍ତି ନୀତିଶ କୁମାର ଜେଡିୟୁ ସାଂସଦ ଏବଂ ରାଜ୍ୟସଭା ଉପ ସଭାପତି ହରିବଂଶଙ୍କ ଜରିଆରେ ବିଜେପି ସହିତ ଯୋଗାଯୋଗ ପାଇଁ ରାସ୍ତା ଖୋଲା ରଖିଛନ୍ତି। ବିଜେପି ସହ କେବେ ବି ଆଉ ହାତ ମିଳାଯିବ ନାହିଁ ବୋଲି ଜେଡିୟୁ କହିଛି।

ପ୍ରଶାନ୍ତ କହିଛନ୍ତି, ହରିବଂଶଙ୍କୁ ଏହି କାରଣରୁ ନିଜ ପଦରୁ ଇସ୍ତଫା ଦେବାକୁ କୁହାଯାଇ ନାହିଁ। କିନ୍ତୁ ଜେଡିୟୁ ବିଜେପି ସହ ସଂପର୍କ ଛିନ୍ନ କରି ସାରିଛି। ଲୋକଙ୍କୁ ମନେ ରଖିବା ଉଚିତ୍ ଯେବେ ବି ଏମିତି କୌଣସି ପରିସ୍ଥିତି ଆସିବ, ନୀତିଶ ପୁଣି ଥରେ ବିଜେପି ଆଡକୁ ଢଳି ପାରନ୍ତି ଏବଂ ମିଶି କି କାମ କରି ପାରନ୍ତି।

କିଶୋରଙ୍କୁ ଜବାବ ଦେଇ ଜେଡିୟୁ ପାର୍ଟି ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି କୁମାର ସାର୍ବଜନୀନ ଭାବେ ଘୋଷଣା କରି ସାରିଛନ୍ତି ଯେ, ସେ କଦାପି ବିଜେପି ସହ ହାତ ମିଳାଇବେ ନାହିଁ। କିଶୋର ଲୋକଙ୍କୁ ଭ୍ରମିତ କରିବା ପାଇଁ ଏମିତି ଟିପ୍ପଣୀ କରୁଥିବା ସେ କହିଛନ୍ତି।

Comments are closed.