ନେପାଳରେ ୫.୧ ତୀବ୍ରତାର ଭୂମିକମ୍ପ

କାଠମାଣ୍ଡୁ : ନେପାଳରେ ବୁଧବାରଦିନ ଏକ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାଠମାଣ୍ଡୁଠାରୁ ୫୩ କିଲୋମିଟର ପୂର୍ବରେ ଥିଲା । ଭୂମିକମ୍ପଟି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ହୋଇଥିଲା ।

ଏହି ଭୂମିକମ୍ପର ପ୍ରଭାବ ଭାରତର କେତେକ ସ୍ଥାନରେ ବି ଅନୁଭୂତ ହୋଇଥିଲା । ବିଶେଷକରି ପଟନା ସମେତ ବିହାରର କେତେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଭାରତ ସରକାରଙ୍କ ଜାତୀୟ ଭୂକମ୍ପ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏହି ଭୂମିକମ୍ପ ପୁଣି ଥରେ ୨୦୧୫ର ପ୍ରଳୟଙ୍କରୀ ନେପାଳ ଭୂମିକମ୍ପର କଥା ତାଜା କରିଦେଇଛି । ୨୦୧୫ରେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପରେ ମୋଟ ୯ ହଜାର ଲୋକ ମୃତ୍ୟୁବରଣ କରିଥିଲେ ଓ ୨ ହଜାର ଲୋକ ଆହତ ହୋଇଥିଲେ । ଏହି ଭୂମିକମ୍ପ ଫଳରେ ସମଗ୍ର ନେପାଳ ଏକ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଥିଲା । ଏହି ଦେଶରେ ମୋଟ ୮ ଲକ୍ଷ ଘର ଭାଙ୍ଗିଯାଇଥିଲା ।

ଜାତୀୟ ଭୂକମ୍ପ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ଗତ ମାସରେ ସାରା ଭାରତରେ ମୋଟ ୧୩୨ଟି ଭୂମିକମ୍ପ ରେକର୍ଡ କରାଯାଇଥିଲା । ସବୁଠାରୁ ଅଧିକ ଭୂମିକମ୍ପ ୩୫ଟି ମହାରାଷ୍ଟ୍ରରେ ରେକର୍ଡ କରାଯାଇଥିଲା ।

Comments are closed.