ଗଜପତି, ୨୦ ନଭେମ୍ବର ୨୦୨୬(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ (International Transgender Day of Remembrance) ଅବସରରେ ଶୁକ୍ରବାର ଗଜପତି ଜିଲ୍ଲାରେ ତୃତୀୟଲିଙ୍ଗୀ ସମୁଦାୟଙ୍କ ଅଧିକାର, ସାମାଜିକ ସୁରକ୍ଷା, ସମ୍ମାନ ଓ ସର୍ବାଙ୍ଗୀଣ ବିକାଶକୁ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଗଜପତି ତୃତୀୟଲିଙ୍ଗୀ ସଂଘ (Gajapati Transgender Association – GTA) ର ପ୍ରତିନିଧିମାନେ ଯୋଗଦେଇ ସମୁଦାୟର ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ।
ଏହି ବୈଠକରେ ଗଜପତି ତୃତୀୟଲିଙ୍ଗୀ ସଂଘର ସଭାପତି ମଧୁ ବରାଡୋ ଓ ସମ୍ପାଦିକା ଜସ୍ମିନ ଶେଖଙ୍କ ସମେତ ସଦସ୍ୟ ପ୍ରିୟଂଶୁ ରଞ୍ଜନ ପାତ୍ର, ମଧୁ ଗୌଡ଼, ଭୁବନାନନ୍ଦ, ସୁନୀତା ମିଶାଲ, ସୁନୈନା ମହାରଣା, ତମନ୍ନା ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ମଧ୍ୟ ଉପସ୍ଥିତ ରହି ସମୁଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

ବୈଠକରେ ତୃତୀୟଲିଙ୍ଗୀ ସମୁଦାୟର ମୌଳିକ ଅଧିକାର, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର, ଆର୍ଥିକ ସଶକ୍ତିକରଣ ଓ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଶେଷକରି ସ୍ୱୀକୃତି (SWEEKRUTI) ଯୋଜନା ସମ୍ପର୍କରେ ଜନସଚେତନତା, ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ପଞ୍ଜୀକରଣ ଶିବିର ଆୟୋଜନ, ତୃତୀୟଲିଙ୍ଗୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ପରିଚୟପତ୍ରରେ ଥିବା ତ୍ରୁଟି ସଂଶୋଧନ, ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, ସ୍ୱତନ୍ତ୍ର ହେଲ୍ପଡେସ୍କ ଓ ସୁରକ୍ଷା ସେଲ୍ ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରାଯାଇଥିଲା।
ଏଥିସହିତ ତୃତୀୟଲିଙ୍ଗୀ ସମୁଦାୟର ସାମାଜିକ ସଚେତନତା ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା, SHG ଗଠନ ଓ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ, ନିର୍ମାଣାଧୀନ ଟ୍ରାନ୍ସଜେଣ୍ଡର ସେଲ୍ଟର ହୋମ୍ର କାର୍ଯ୍ୟ ଶୀଘ୍ର ସମାପ୍ତି ଏବଂ ଜିଲ୍ଲାସ୍ତରୀୟ ତୃତୀୟଲିଙ୍ଗୀ କଲ୍ୟାଣ କମିଟି ଗଠନ ପାଇଁ ମଧ୍ୟ ଦାବି ରଖାଯାଇଥିଲା।
ଏହି ଅବସରରେ ତୃତୀୟଲିଙ୍ଗୀ ସ୍ମୃତି ଦିବସର ମହତ୍ତ୍ୱ ଓ ସମାଜରେ ତୃତୀୟଲିଙ୍ଗୀ ବ୍ୟକ୍ତିବିଶେଷଙ୍କ ପ୍ରତି ରହିଥିବା ଭେଦଭାବ ଦୂର କରି ସେମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପ୍ରଦାନ କରିବା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏଥିସହିତ ତୃତୀୟଲିଙ୍ଗୀ ସମୁଦାୟର କଲ୍ୟାଣ ପାଇଁ ଏକ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନର ଆବଶ୍ୟକତା ସମ୍ପର୍କରେ ମଧ୍ୟ ମତ ରଖାଯାଇଥିଲା।
ବୈଠକରେ ଉପସ୍ଥାପିତ ସମସ୍ତ ଦାବି ଓ ପ୍ରସ୍ତାବକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୁରୁତ୍ୱର ସହ ଶୁଣିବା ସହ ଗ୍ରହଣ କରିଥିବା ଜଣାଇଥିଲେ। ଏହି ଦାବି ଓ ପ୍ରସ୍ତାବଗୁଡ଼ିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତ ବିଭାଗ ନିକଟକୁ ପଠାଯିବ ଏବଂ ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଦ୍ୟମ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ଶେଷରେ ଗଜପତି ତୃତୀୟଲିଙ୍ଗୀ ସଂଘ ପକ୍ଷରୁ ଏହି ବୈଠକ ଆୟୋଜନ ଓ ସମୁଦାୟର ସମସ୍ୟାଗୁଡ଼ିକୁ ଗୁରୁତ୍ୱ ଦେଇ ଶୁଣିଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଥିଲା।
ସଂଘର ମୁଖ୍ୟ ବାର୍ତ୍ତା:
ଭେଦଭାବ ନୁହେଁ – ସମାନତା ଦରକାର।
ଅବହେଳା ନୁହେଁ – ସମ୍ମାନ ଦରକାର।
ଦୟା ନୁହେଁ – ଅଧିକାର ଦରକାର।
ପ୍ରତିଶ୍ରୁତି ନୁହେଁ – ବାସ୍ତବ କାର୍ଯ୍ୟାନ୍ୱୟନ ଦରକାର।
ସମାନ ଅଧିକାର, ସମ୍ମାନଜନକ ଜୀବନ ଓ ଆତ୍ମନିର୍ଭରଶୀଳ ତୃତୀୟଲିଙ୍ଗୀ ସମାଜ ଗଠନ ହିଁ ଏହି ବୈଠକର ମୁଖ୍ୟ ଲକ୍ଷ୍ୟ।