ଭାରତ ବିପକ୍ଷରେ ଆମେରିକା ୮-୦ରେ ବିଜୟୀ

ଭୁବନେଶ୍ବର: ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଉଉଦ୍‌ଘାଟନୀ ଅବସରରେ ଆୟୋଜିତ ପ୍ରଥମ ମ୍ୟାଚରେ ମରକୋକୁ ବ୍ରାଜିଲ ୧-୦ ଗୋଲ୍‌ରେ ପରାସ୍ତ କରିଛି। ଦ୍ବିତୀୟ ମ୍ୟାଚରେ ଆମେରିକା ଠାରୁ ଭାରତ ୮-୦ ଗୋଲ୍‌ରେ ପରାସ୍ତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ଫିଫାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାରତ-ଆମେରିକା ମ୍ୟାଚ ପୂର୍ବରୁ କଳିଙ୍ଗ ଷ୍ଟାଡ଼ିୟମ ପହଞ୍ଚି ଉଭୟ ଖେଳାଳି ଓ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ, ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ସମେତ ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ ଏବଂ ଗୋଆର ପିଜେଏନ ଷ୍ଟାଡିୟମକୁ ମିଶାଇ ତିନୋଟି ସ୍ଥାନରେ ମିଳିତ ଭାବେ ଆୟୋଜନ କରାଯାଉଛି । ଏହି କ୍ରୀଡ଼ା ମହାକୁମ୍ଭରେ ୧୬ଟି ଦେଶ ଭାଗ ନେଇଛନ୍ତି । ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଶ୍ବସ୍ତରୀୟ ଏହି ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ୪ଟି ଗ୍ରୁପରେ ବିଭାଜିତ ହୋଇ ଦଳଗୁଡ଼ିକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବେ । ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇ ଠାରେ ଫାଇନାଲ ମୁକାବିଲା ଖେଳାଯିବ।୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ବକପ ପ୍ରତିଯୋଗିତାରେ ତିନି ପୂର୍ବତନ ଚାମ୍ପିଅନ ଫ୍ରାନ୍ସ, ଜାପାନ ଏବଂ ସ୍ପେନ୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଅନ୍ୟପକ୍ଷରେ କାନାଡା, ଜର୍ମାନୀ, ନ୍ୟୁଜିଲାଣ୍ଡ ଓ ଜାପାନ ସବୁଥର ଭଳି ଚଳିତ ସଂସ୍କରଣରେ ମଧ୍ୟ ଭାଗ ନେବାର ରେକର୍ଡ ବଜାୟ ରଖିଛନ୍ତି । ଏଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଛି । ୨୦୧୭ରେ ୧୭ ବର୍ଷରୁ କମ୍‌ ପୁରୁଷ ଫୁଟବଲ ବିଶ୍ବକପ ପରେ ଭାରତୀୟ ମହିଳା ଦଳ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟ ରଖିଛି

Comments are closed.