ବ୍ରଜଭୂମିର ପବିତ୍ର ରମଣ ରେତି

ଅର୍ଜୁନୀ ଚରଣ ବେହେରା

ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାଭୂମି ଗୋକୁଳ l
ମଥୁରାର କଂସ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇ ଗୋକୁଳର ନନ୍ଦ ଘରେ ନନ୍ଦ ଓ ମାତା ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହ ଡୋରରେ ବନ୍ଧା ହୋଇ ଭାଇ ବଳରାମଙ୍କ ସହିତ ବହୁ ଲୀଳାଖେଳା କରିଥିଲେ l ଏହିଠାରେ ବାଳ କୃଷ୍ଣ ଅବଲୀଳା କ୍ରମେ ପୁତନା, ଷଣ୍ଢା,ବକା ଆଦି କଂସ ପ୍ରେରିତ ମହାମହା ଅସୁରୀ ଏବଂ ଅସୁରଙ୍କ ସଂହାର କରିଥିଲେ l ପ୍ରଭୁ ପୁଣି କାଣି ଅଙ୍ଗୁଷ୍ଠିରେ ଗୋବର୍ଦ୍ଧନ ପର୍ବତ ଉତ୍ତୋଳନକରି ଇନ୍ଦ୍ର କୋପରୁ ଗୋପପୁରକୁ ରକ୍ଷା କରିଥିଲେ l ଦ୍ୱାପର ଯୁଗରେ ଭଗବାନଙ୍କ ଏହି ଲୀଳାର ସ୍ମୃତି ସ୍ୱରୂପେ ଗୋକୁଳ ବ୍ରଜ ଭୂମିରେ ରହିଛି ଅନେକ ସ୍ମାରକୀ l ତନ୍ମଧ୍ଯରୁ ରମଣ ରେତି ଅନ୍ୟତମ l ଏହା ଏକ ବାଲୁକାମୟ କ୍ଷେତ୍ର l ରେତି, ଅର୍ଥ ବାଲି ଓ ଭଗବାନ ସେଥିରେ ରମଣ କରିଥିବାରୁ ଏହାର ନାମ ହୋଇଛି ରମଣ ରେତି l ରମଣ ରେତି ସ୍ଥିତ କ୍ଷୁଦ୍ର ବନ ରମଣବନ ନାମରେ ବିଦିତ l
କହ୍ନେଇ ତ ପିଲାବେଳେ ଖୁବ ଦୁଷ୍ଟ ହୋଇ ଥାନ୍ତି l ସକାଳୁ ଉଠିଲେ, ଯଶୋମତିଙ୍କର କେତେ କାମ l ନନ୍ଦବାବା ତ ପ୍ରଭାତରୁ ଉଠି ଗୋଗୋଷ୍ଠକୁ ଚାଲି ଯାଆନ୍ତି l ମାଆ ଯଶୋଦାଙ୍କ ଉପରେ ଦଧିମନ୍ଥନ, ଗୋଟିକା, ଅଧାମ, ଛେନା, ଲବଣି, ଘୃତାଦି ସବୁ ପ୍ରସ୍ତୁତିର ଭାର,ପୁଣି ସେଥିରେ ଦୁଷ୍ଟ କହ୍ନେୟା ଓ ବଳରାମଙ୍କୁ ସମ୍ଭାଳିବେ l ମାଆ ରୋହିଣୀ ଟିକିଏ ସାହାଯ୍ୟ କରନ୍ତି ବୋଲି,କୌଣସି ପ୍ରକାରେ କାମ ଚଳିଯାଏ l ଯଦି ସକାଳୁ ସକାଳୁ କହ୍ନେୟା ଉଠି ପଡ଼ିଲା ତ, ସବୁ ଗୋଳମାଳ l ବିଛଣାରୁ ଉଠିବ କି ନାହିଁ ମାଆଙ୍କ ସାଙ୍ଗରେ ଅଝଟ ମୋତେ ସର ଦେ, ମଖନ ଦେ l ତେଣେ ଗୋପ ବାଳକ ମାନେ ଆସି ପହଞ୍ଚିଯିବେଣି ଖେଳିବା,ବାଛୁରୀଙ୍କୁ ଚରାଇ ନେବାପାଇଁ l ମାଆ ଆଉ କରିବେ କଣ l କେତେ ଜଞ୍ଜାଳ l କୌଣସିବାଟେ କହ୍ନାକୁ ବୁଝାସୁଝା କରି ଶିରରେ ମୟୁର ପୁଚ୍ଚଟିଏ ଖୋସି ଦେଇ ହାତରେ ବଇଁଶୀ ଖଣ୍ଡକ ଧରାଇ ଦିଅନ୍ତି l କାହ୍ନା ଖଣ୍ଡିଡିଆଁ ମାରି, ଭାଇ ବଳରାମ ଏବଂ ବ୍ରଜ ବାଳକଙ୍କ ସହ ଧବଳୀ, ଶ୍ୟାମଳୀ ବାଛୁରୀ ମାନଙ୍କୁ ଧରି ବାହାରି ଯାଆନ୍ତି ବୃନ୍ଦାବନକୁ l ଏବେ ମାଆ ଆଶ୍ୱସ୍ତ, ପୁଣି ଅନାଇଁ ରହିଥାନ୍ତି ଗୋଧୂଳି ବେଳାକୁ l କେଉଁ ଦିନ କେମିତି ଟିକିଏ ଡେରି ହୋଇଗଲେ ବ୍ୟସ୍ତ ହୋଇ ବାରବାର ଦୁଆରକୁ ଦୋଉଡି଼ଯାଇ କେତେ କ’ଣ ଆଶଙ୍କା / ଭାବନା କରି ବସନ୍ତି l କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଭାଷାରେ :-
କାନ ଡେରିଥାଇ ପରା ତୋ ବେଣୁ ଗୀତକୁ l
ଆଜ କିମ୍ପା ଶୁଭୁନାହିଁ ଭାଳଇ ମନକୁ ll
ମୋ କଳା ମାଣିକ ରେ !!!
କହ୍ନେଇ ସାଥିରେ ଥାନ୍ତି ଭାଇ ବଳରାମ ଓ ସୁବଳ ଶ୍ରୀଦାମ, ସୁଦାମ, ଅର୍ଜୁନ,ବଳି, ସ୍ତୋକକର୍ଣ୍ଣ, ମଧୁ ମଙ୍ଗଳ,ବୃଷବନ୍ଧୁ ଆଦି ବାଲ୍ୟସଖା ମାନେ l ବୃନ୍ଦା ବନରେ ବାଛୁରୀ ମାନଙ୍କୁ ଛାଡ଼ି ଦେଇ କାହ୍ନା ବ୍ରଜ ଭୂମିର ସେହି ରମଣ ରେତି ଉପରେ ମାତି ଯାନ୍ତି ବାଲି ଖେଳରେ l ଧୂଳି ବୋଳା ବୋଳି, ବାଲିରେ ଗଡ଼ା ଗଡ଼ି କେତେ ଖେଳ l ଏଇଠି ଦିନେ ଖେଳୁ ଖେଳୁ ସେ ବକାସୁର, ପ୍ରଳମ୍ବାସୁର, ଧେନୁକାସୁର ଆଦିଙ୍କୁ ବଧ କରି ଥିଲେ l ରମଣ ବନରେ ସାଥି ମାନେ ବାଳ କୃଷ୍ଣଙ୍କ ଏସବୁ ଅଦ୍ଭୁତ କର୍ମକୁ ବହୁତ ଉପଭୋଗ କରନ୍ତି l ଏହି ଠାରେ ମଧ୍ୟ ରାସମୟୀ ରାଧାରାଣୀ କୃଷ୍ଣଙ୍କୁ ବାରମ୍ବାର ଭେଟିଥିଲେ ଯାହା ବୃନ୍ଦାବନରେ ପରେ ମହାରାହାସରେ ରୂପାନ୍ତରିତ ହୋଇଥିଲା l
ବ୍ରଜଭୂମିରେ ଭଗବାନଙ୍କ ସେହି ଦିବ୍ୟ ବାଳକ୍ରୀଡ଼ା ଭୂମି ରମଣ ରେତିରେ ପାଦ ଥାପିଲେ ଭକ୍ତ କ୍ଷଣେ ହୁଏ ଆନମନା l ସେ ଭାବ ବିହ୍ଵଳ ହୋଇ କୃଷ୍ଣଙ୍କ ପଦରଜକୁ ଦେହରେ ବୋଳି ହୋଇ ପଡ଼େ l କିଏ ବା ପୁଣି ସେହି ବାଲି ଉପରେ କୃଷ୍ଣଭକ୍ତି ପ୍ରେମରେ ବିଭୋର ହୋଇ ଗଡ଼ି ପଡ଼େ l ସେହି ବାଲି ପରେ ବୈଷ୍ଣବ ସାଧୁ ମାନେ ଭିଡ଼ ଲଗାଇ ଥାନ୍ତି l
ରମଣ ରେତିର ନିକଟରେ ରହିଛି ପବିତ୍ର କର୍ଷଣୀ ଆଶ୍ରମ ଓ ରମଣ ବିହାରୀ ମନ୍ଦିର l ଏହି ଠାରେ ଅଠରଶହ ଶତାବ୍ଦୀରେ ବାରବର୍ଷ ତପସ୍ୟା କରି ସନ୍ଥ ଜ୍ଞାନ ଦାସ ମହାରାଜ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଥିଲେ ବୋଲି କଥା ରହିଛି l ରମଣ ବିହାରି ମନ୍ଦିର ସନ୍ଥଜ୍ଞାନଦାସଙ୍କ ଦ୍ୱାରା ପ୍ରତିଷ୍ଠିତ l ସନ୍ଥ ଜ୍ଞାନ ଦାସ ଯେଉଁ ରୂପେ ଭଗବାନ କୃଷ୍ଣଙ୍କ ଦର୍ଶନ ପାଇଥିଲେ, ରମଣ ବିହାରୀ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ସେହି ରୂପେ ପୂଜା ପାଉଛି l ଏହି ବାଲି ଉପରେ ଖେଳୁ ଖେଳୁ ପ୍ରଭୁ ଦିନେ ଜଣେ ବାଲ୍ୟ ସଖାର ଅନ୍ଧ ପିତାକୁ ଚକ୍ଷୁ ଦାନ କରିଥିଲେ l ବ୍ରଜଭୁମିର କୃଷ୍ଣ ପଦ ଅଙ୍କିତ ସେହି ବାଲି ଅତ୍ୟନ୍ତ ପବିତ୍ର l ଭଗବତ ପିପାସୁ ପ୍ରତ୍ୟେକ ଭକ୍ତ ସେହି ବାଲି ଉପରେ ଥରେ ଗଡ଼ି ପରମ ତୃପ୍ତି ଲାଭ କରିବା ସହ ମାନସ ଚକ୍ଷୁରେ ବାଳକୃଷ୍ଣଙ୍କ ଦର୍ଶନଲାଭ କରିଥାଏ l ବ୍ରଜଭୂମିର ସେହି ବାଲି ଉପରେ ଭଗବାନଙ୍କ ଖେଳକୁ ନେଇ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି ଗାଇଛନ୍ତି :-
ବାଲି ଖେଳୁଥିଲେ, ବାଲି ଖେଳୁଥିଲେ
ନନ୍ଦସୁତ କଳା କହ୍ନାଇ l
ସଖା ସଙ୍ଗେ ବଳରାମ ଭାଇଙ୍କୁ ନେଇ ll
ଓଁ ନମଃ ଶ୍ରୀକୃଷ୍ଣ
ସଚ୍ଚିଦାନନ୍ଦ ରୂପାୟ ବିଶ୍ୱେତ୍ପତ୍ୟାଦିହେତବେ l
ତାପତ୍ରୟ ବିନାଶାୟ ଶ୍ରୀକୃଷ୍ଣାୟ ବୟଂ ନମଃ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.