ଜୟ ମା’ ଶଇଳ ସୂତେ

ଅର୍ଜୁନୀ ଚରଣ ବେହେରା

ଦେଖ ଦେଖ ଭାଇ ବିଜେ ମହାମାୟୀ
ରତ୍ନମୟ ସିଂହାସନେ l
ଡାକି ଡାକି ମାତା ଆଶିଷ ଦିଅନ୍ତି
ଅଧମ ସନ୍ତାନ ଗଣେ ll
ଡିବି ଡିବି ବାଜେ ଯୋଡ଼ି ନାଗରା ଲୋ
ଢ଼ୋଲ, ଟମକ, ମହୁରୀ l
ବିମଳ ଶରତେ ମାଆ ଏ ମରତେ
ଆସିଛନ୍ତି ଅବତରି ll
ବିଦ୍ୟୁତ ଝଟକ ମାଆଙ୍କ ମୁକୁଟ
ଜଗତେ ନିର୍ମଳ ଶୋଭା l
କାଶତଣ୍ଡୀ ମଣ୍ଡି ନଦୀ ଦୀପ ଦଣ୍ଡି
ଦିଶେ କେଡ଼େ ମନ ଲୋଭା ll
ନିର୍ମଳ ପ୍ରକାଶ ସୁନୀଳ ଆକାଶ
ଶୁଭ୍ର ମେଘ ଅଭ୍ରଖଣ୍ଡ l
ଆନନ୍ଦ ଉଲ୍ଲାସେ ଧରଣୀ ଲୋଟଇ
ହର୍ଷ ଚଉଦ ବ୍ରହ୍ମାଣ୍ଡ ll
ଜୟ ଦଶଭୁଜା ବାଜୁଅଛି ବାଜା
ଜୟ ମା କରୁଣାମୟୀ l
କଇଳାଶ ତେଜି ଏ ମର୍ତ୍ତ୍ୟେ ବିରାଜି
ବସି ଅଛୁ ଦୟାମୟୀ ll
ଜୟ ମୁକ୍ତକେଶି ହସ୍ତେ ମୁକ୍ତ ଅସି
ଉନ୍ମୁକ୍ତ ଖଡ୍ଗ ଖର୍ପର l
ବିକଟ ହାସିନୀ ମା’ ଦର୍ପ ଦଳିନି
ଦୁଷ୍ଟ ହେଲେ ଥରହର ll
ଶଇଳ କୁମାରୀ ପୁତ୍ର ଦ୍ବୟ ଧରି
ବସିଛନ୍ତି ଚାରୁହାସି l
ସଙ୍ଗେ ସରସ୍ବତୀ ସାଗର ଦୁହିତି
ଚିତ୍ତ ନିଅନ୍ତି ଆକର୍ଷି ll
ସସାଗରା ଧରା କମ୍ପୁଅଛି ପରା
ବିପ୍ରେ ପଢୁଛନ୍ତି ମନ୍ତ୍ର l
ସପ୍ତଶତୀ ଚଣ୍ଡୀ ମାଆ ରଣଚଣ୍ଡୀ
ଧରା କରେ ମୁଖରିତ ll
ଦଶଭୁଜ ପୁରି ଅସ୍ତ୍ର ଆଣ୍ଟେ ଧରି
ଦଶଭୁଜା ବିଶ୍ୱମ୍ଭରୀ l
ତ୍ରିଶୂଳେ ଭୁଷିଲୁ ମହିଷା ବଧିଲୁ
ଜୟ ବାହନ କେଶରୀ ll
ଭାଙ୍ଗିଦେଲୁ ଦମ୍ଭ ଶୁମ୍ଭ ଓ ନିଶୁମ୍ଭ
ମାଆ ତୁ ଦୈତ୍ୟ ଦଳିନି l
ନମଃ ମା’ ଅମ୍ବିକା, ପାର୍ବତୀ, କାଳିକା
ଚଣ୍ଡ ମୁଣ୍ଡ ବିଧ୍ୱଂସିନୀ ll
ଆଜି ଦଶହରା ମାଆ ବିଶ୍ଵମ୍ଭରା
ଏତିକି ତୋ ପାଦେ ଅଳି l
ମୋ ହୃଦ କନ୍ଦରୁ ମହିଷାର ବସା
ପାଦେ ଦେବୁ ମାଆ ଦଳି ll
ଜୟ ଜୟ ଦୁର୍ଗେ ଦୁର୍ଗତି ନାଶିନୀ
ଜୟ ମା’ ଶଇଳ ସୂତେ l
ଦୟା ରଖିଥିବୁ ଆଜ୍ଞାନ ସୂତରେ
ଏତିକି ଦୟିନୀ ତୋତେ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.