ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ୧୩୮ ତମ ମନ୍ କୀ ବାତ୍ରେ ମୋଦୀ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତ ଶୂନ୍ୟ ସହନଶୀଳତା ନୀତି ଆପଣାଇ ଆସୁଛି। ଆତଙ୍କବାଦୀ ଆକ୍ରମଣ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି। ଦିନ ଥିଲା ଯେବେ ଭାରତରେ ସିରିଏଲ୍ ବିସ୍ଫୋରଣ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା। ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ ୨୦୦୮ ସେପ୍ଟେମ୍ବର ୧୩ ତାରିଖରେ ଦିଲ୍ଲୀଠାରେ ହୋଇଥିବା ସିରିଏଲ୍ ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାର କିଛି ସପ୍ତାହ ପରେ ହିଁ ମୁମ୍ବଇରେ ୨୬/୧୧ ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା; କିନ୍ତୁ ତା’ ଉପରେ ସେତେଟା ଗୁରୁତ୍ବ ଦିଆଯାଇ ନଥିଲା। ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା। କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତି ଧରି ଚାଲିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜକୁ ଦଶବର୍ଷ ପୂର୍ବେ ୨୦୧୬ ସେପ୍ଟେମ୍ବର ମାସ ୨୮-୨୯ ତାରିଖରେ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡାସ୍ଥଳ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏଲ୍ଓସି ଅତିକ୍ରମ କରି ଆମର ବୀର ଯବାନମାନେ ଆତଙ୍କବାଦ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ସମଗ୍ର ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ‘ସର୍ଜିକାଲ ଷ୍ଟ୍ରାଇକ୍’ ସେହି ଯନ୍ତ୍ରଣା ବିରୋଧରେ ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା। ବିଗତ ଦଶନ୍ଧିରେ ବାଲାକୋଟର ଏୟାର ଷ୍ଟ୍ରାଇକ୍ ଠାରୁ ଆରମ୍ଭକରି ‘ଅପରେସନ୍ ସିନ୍ଦୂର’ ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ, ତେବେ ତାହାର ଦୃଢ଼ ଜବାବ ଦିଆଯିବ। ଜାମ୍ମୁ-କାଶ୍ମୀରର ଉରି ସେନାଘାଟି ଉପରେ ୨୦୧୬ ସେପ୍ଟେମ୍ବର ୧୮ରେ ପାକିସ୍ତାନ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ଭାରତର ୧୯ଜଣ ଯବାନ ସହିଦ ହୋଇଥିଲେ। ଏହାର ୧୦ଦିନ ପରେ ପାକିସ୍ତାନ ବିରୋଧରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ସେହିପରି ୨୦୨୫ ଏପ୍ରିଲ ୨୨ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ମେ ୭ରେ ପାକିସ୍ତାନ ବିରୋଧରେ ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’ କରିଥିଲା।
ଆଜିର ମନ୍ କୀ ବାତ୍ରେ ମୋଦୀ ଦେଶରେ ଚାଲିଥିବା ଜନଗଣନା କାର୍ଯ୍ୟ ସମ୍ପର୍କରେ କହିଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଶେଷ ହୋଇଛି। ୩୨ କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜିକୃତ କରାଯାଇଛି। ଦେଶରେ ଚାଲିଥିବା ଜନଗଣନା କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସେହିପରି ଅକ୍ଟୋବର ୨ରେ ପାଳନ ହେବାକୁ ଯାଉଥିବା ଗାନ୍ଧୀ ଜୟନ୍ତୀକୁ ମୋଦୀ ମନେ ପକାଇଛନ୍ତି। ମୋଦୀ କହିଛନ୍ତି ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି। ସ୍ୱଚ୍ଛତା ସେଗୁଡ଼ିକ ମଧ୍ୟରେ ଅନ୍ୟତମ। ତେଣୁ ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛତାର ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେବ। ମନ କୀ ବାତରେ ମୋଦୀ ‘ବିଶ୍ୱ ହିନ୍ଦୁ ପରିଷଦ’ର ପୂର୍ବତନ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ୱର୍ଗୀୟ ଅଶୋକ ସିଂହଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କାରଣ ୧୯୨୬ ଆଜିର ଦିନରେ ଅଶୋକ ସିଂହଲ ଜନ୍ମ ଗ୍ରହଣ କରିଥିଲେ। ଅର୍ଥାତ୍ ଆଜି ହେଉଛି ସିଂହଲଙ୍କ ୧୦୦ତମ ଜୟନ୍ତୀ।
Sign in
Sign in
Recover your password.
A password will be e-mailed to you.
Prev Post
Next Post