ଗଜପତି,୨୯.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ମେରା ଯୁବା ଭାରତ ଗଜପତି ଶାଖା ପକ୍ଷରୁ ଆଜି ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଫିଟ୍ ଇଣ୍ଡିଆ ‘ସଣ୍ଡେ ଅନ୍ ସାଇକେଲ୍’ର ୧୦୦ତମ ସଂସ୍କରଣ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ, ଯୁବ କ୍ଲବ୍ ସଦସ୍ୟ ଓ କ୍ରୀଡ଼ାବିତ୍ ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ଅଭିଯାନ ଏବଂ ‘ନିଶାମୁକ୍ତ ଯୁବା – ବିକଶିତ ଭାରତ’ ଅଭିଯାନର ଏକାଦଶ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଯୁବପିଢ଼ିଙ୍କୁ ସୁସ୍ଥ ରହିବା, ନିୟମିତ ବ୍ୟାୟାମ କରିବା ଏବଂ ନିଶାଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ପଣ୍ଡା, ଆନ୍ତର୍ଜାତୀୟ ମାଷ୍ଟର ଆଥଲେଟ୍ ଶ୍ରୀ କିଶୋର ଚନ୍ଦ୍ର ରଥ, ଡଃ ଲୋକନାଥ ମିଶ୍ର, ପୂର୍ବତନ ସେନା କର୍ମଚାରୀ ଶ୍ରୀ ମନୋଜ କୁମାର ଦାଶ ଏବଂ ଶ୍ରୀ ସଞ୍ଜୟ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ଯୁବକଯୁବତୀମାନେ ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଏହି ଅବସରରେ ସମସ୍ତେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ନେଇଥିଲେ। ସମସ୍ତ ଅତିଥିମାନେ ଯୁବପିଢ଼ିଙ୍କୁ ନିୟମିତ ବ୍ୟାୟାମ କରିବା ଓ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।ଏହି ଆୟୋଜନ ମାଧ୍ୟମରେ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ବାର୍ତ୍ତା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲୱାଡାଙ୍କ ନିର୍ଦ୍ଦେଶନାରେ ମାଇ ଭାରତ, ଗଜପତି ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଏ. ମହେଶ୍ୱର ରାଓ ଓ ଶ୍ରୀ ଭି. ଭବାନୀ ପ୍ରସାଦ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.