ବାଲେଶ୍ୱର, ୨୯/୧୧, (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ଏକ ଲକ୍ଷ ହିତଚିନ୍ତକଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ସହ ଯୋଡ଼ିବା ଲକ୍ଷ୍ୟ ନେଇ ସଂଗଠନ ପକ୍ଷରୁ ହିତଚିନ୍ତକ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ନଭେମ୍ବର ୨୨ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ। ଏହାର ଅଂଶସ୍ୱରୂପ ସଂପ୍ରତି ବିଶ୍ୱ ହିନ୍ଦୁ ପରିଷଦ, ବାଲେଶ୍ୱର ଜିଲ୍ଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ ଯୋଗଦେଇ ଅଭିଯାନର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାର ଏକ ଲକ୍ଷ ହିତଚିନ୍ତକଙ୍କୁ ସଂଗଠନ ସହ ଯୋଡ଼ିବା ସହ ହିନ୍ଦୁ ସମାଜକୁ ଏକତ୍ରିତ କରି ଦେଶ ଓ ଧର୍ମର ସୁରକ୍ଷା ପାଇଁ ପ୍ରସ୍ତୁତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।
ଗୋହତ୍ୟା, ଧର୍ମାନ୍ତରଣ, ନିଶାଦ୍ରବ୍ୟ କାରବାର, ଅନୈତିକ ଅନୁପ୍ରବେଶ, ଜନସଂଖ୍ୟା ଅସନ୍ତୁଳନ ଓ ‘ଲଭ୍ ଜିହାଦ୍’ ଭଳି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ସହ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଜ୍ଞାନ ରଞ୍ଜନ ଦାଶ, ଜିଲ୍ଲା ସମ୍ପାଦକ ରଶ୍ମି ରଞ୍ଜନ ଦାସ ଓ ନଗର କାର୍ଯ୍ୟକାରୀ ସଭାପତି ମୁରଲୀ ନାୟକ ଉପସ୍ଥିତ ଥିଲେ।