ସାଧାରଣ ନାଗରିକଙ୍କୁ ନା, ନେତାଙ୍କ ପ୍ରବେଶ ପାଇଁ ପୋଲିସ ପଡ଼ିଆ ମେଲା !

•ନିରାପଦ ପ୍ରାତଃଭ୍ରମଣ ପାଇଁ ହନ୍ତସନ୍ତ ବାଲେଶ୍ୱରବାସୀ; ମୁଖ୍ୟ ରାସ୍ତାରେ ବିପଦ ମଧ୍ୟରେ ଚାଲୁଛନ୍ତି ଶହ ଶହ ଲୋକ

0
ବାଲେଶ୍ୱର, ୨୯/୧୧ (କୃଷ୍ଣ କୁମାର ମହାନ୍ତି): ସହରରେ ସୁରକ୍ଷିତ ପ୍ରାତଃଭ୍ରମଣ ପାଇଁ ସ୍ଥାନ ନାହିଁ। ନିରାପଦରେ ଦୁଇ ପାଦ ଚାଲିବାକୁ ଚାହୁଁଥିବା ସାଧାରଣ ନାଗରିକଙ୍କ ପାଇଁ କଟକଣା, ଅଥଚ ନେତା ଓ ବିଶେଷ ବ୍ୟକ୍ତିଙ୍କ ସଭା, ସମାବେଶ ଏବଂ କାର୍ଯ୍ୟକ୍ରମ ପାଇଁ ଖୋଲା ରହୁଛି ବାଲେଶ୍ୱର ପୋଲିସ ରିଜର୍ଭ ପଡ଼ିଆ। ଏଭଳି ଦ୍ୱିମୁଖୀ ବ୍ୟବସ୍ଥାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ସ୍ୱାସ୍ଥ୍ୟ ସଚେତନ ବରିଷ୍ଠ ନାଗରିକ, ମହିଳା ଓ ଯୁବପିଢ଼ିଙ୍କ ପାଇଁ ଏକ ସୁରକ୍ଷିତ ଚାଲିବା ସ୍ଥାନର ଅଭାବ ଏବେ ସହରର ଏକ ଗମ୍ଭୀର ନାଗରିକ ସମସ୍ୟା ଭାବେ ଉଭା ହୋଇଛି।
ପୂର୍ବରୁ ପୋଲିସ ପଡ଼ିଆ ସାଧାରଣ ଲୋକଙ୍କ ପ୍ରାତଃଭ୍ରମଣ ପାଇଁ ଖୋଲା ରହୁଥିଲା। କିନ୍ତୁ ପ୍ରାୟ ଏକ ବର୍ଷ ହେଲା ସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏପଟେ ପଡ଼ିଆରେ ନେତାଙ୍କ ସଭା, ସମାବେଶ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହୋଇପାରୁଛି। ତେବେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ମାତ୍ର ଗୋଟିଏ ଘଣ୍ଟା ପଡ଼ିଆ ଖୋଲା ରଖିବାରେ ବାଧା କେଉଁଠି? ଏହି ପ୍ରଶ୍ନ ଏବେ ସହରବାସୀଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି।
ସକାଳୁ ସୁସ୍ଥ ରହିବାର ଆଶା ନେଇ ଘରୁ ବାହାରୁଥିବା ଲୋକଙ୍କୁ ଏବେ ମୁଖ୍ୟ ରାସ୍ତା ହିଁ ଭରସା। ଶହ ଶହ ପ୍ରାତଃଭ୍ରମଣକାରୀ ରାସ୍ତା କଡ଼ରେ କିମ୍ବା ରାସ୍ତା ଉପରେ ଚାଲିବାକୁ ବାଧ୍ୟ ହେଉଛନ୍ତି। ଯାନବାହନର ଭିଡ଼ ଓ ଦ୍ରୁତଗତି ଗାଡ଼ି ମଧ୍ୟରେ ଏହି ଅଭ୍ୟାସ ଯେକୌଣସି ସମୟରେ ଦୁର୍ଘଟଣାର ରୂପ ନେଇପାରେ। ସୁସ୍ଥ ରହିବା ପାଇଁ ଆରମ୍ଭ ହେଉଥିବା ଦିନଟି ଏଭଳି ଭାବେ ବିପଦର ଆଶଙ୍କାରେ କଟୁଛି।
ରାସ୍ତାରେ ଚାଲିବାର ବିପଦ କେବଳ ଗାଡ଼ିମୋଟର ଧକ୍କାରେ ସୀମିତ ନୁହେଁ। ସକାଳ ସମୟରେ ବୁଲା କୁକୁରଙ୍କ ଗୋଡ଼ାଇବା ଓ ଆକ୍ରମଣ ମଧ୍ୟ ପ୍ରାତଃଭ୍ରମଣକାରୀଙ୍କ ପାଇଁ ଭୟର କାରଣ ହୋଇଛି। ବିଶେଷକରି ବୟସ୍କ, ମହିଳା ଓ ଶିଶୁଙ୍କ ପାଇଁ ଏଭଳି ପରିସ୍ଥିତି ଅଧିକ ବିପଜ୍ଜନକ। ହଠାତ୍ କୁକୁର ଗୋଡ଼ାଇଲେ ଭୟରେ ରାସ୍ତା ଉପରକୁ ଦୌଡ଼ିବା କିମ୍ବା ଗାଡ଼ି ଆଗକୁ ଚାଲିଯିବା ମଧ୍ୟ ଦୁର୍ଘଟଣାର କାରଣ ହୋଇପାରେ।
ଏହା ସହ ସକାଳର ଅପେକ୍ଷାକୃତ ନିର୍ଜନ ରାସ୍ତାରେ ଛିନତାଇ ଓ ଚୋରିର ଆଶଙ୍କା ମଧ୍ୟ ରହିଛି। ମୋବାଇଲ୍ ଫୋନ୍, ସୁନା ଅଳଙ୍କାର କିମ୍ବା ଅନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ଏକୁଟିଆ ଚାଲୁଥିବା ଲୋକେ ସମ୍ଭାବ୍ୟ ଅପରାଧର ଟାର୍ଗେଟ୍ ହେବା ଭୟରେ ରହୁଛନ୍ତି। ଏଭଳି ସ୍ଥିତିରେ ନିରାପଦ ପ୍ରାତଃଭ୍ରମଣ ସ୍ଥାନର ଅଭାବ କେବଳ ସୁବିଧାର ପ୍ରଶ୍ନ ନୁହେଁ, ଏହା ନାଗରିକଙ୍କ ଜୀବନ ଓ ସୁରକ୍ଷା ସହ ଜଡ଼ିତ ଏକ ମୌଳିକ ଆବଶ୍ୟକତା।
ପୋଲିସ ରିଜର୍ଭ ପଡ଼ିଆର ସୁରକ୍ଷା, ପ୍ରଶିକ୍ଷଣ ଓ ସରକାରୀ କାର୍ଯ୍ୟକ୍ରମର ଆବଶ୍ୟକତାକୁ ସହରବାସୀ ଅସ୍ୱୀକାର କରୁନାହାନ୍ତି। ତଥାପି ଏହି ସବୁ ବ୍ୟବସ୍ଥାକୁ ଅକ୍ଷୁଣ୍ଣ ରଖି ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମାତ୍ର ଗୋଟିଏ ଘଣ୍ଟା ସାଧାରଣ ନାଗରିକଙ୍କୁ ପ୍ରବେଶ ସୁଯୋଗ ଦେବା ସମ୍ଭବ ନୁହେଁ କି? ଆବଶ୍ୟକ ହେଲେ ପରିଚୟପତ୍ର ଯାଞ୍ଚ, ନିର୍ଦ୍ଦିଷ୍ଟ ପ୍ରବେଶ ଦ୍ୱାର, ସୁରକ୍ଷା କର୍ମଚାରୀଙ୍କ ନିରୀକ୍ଷଣ ଓ ଶୃଙ୍ଖଳା ରକ୍ଷା ପାଇଁ ନିୟମ ଲାଗୁ କରାଯାଇପାରିବ। ଏହାଦ୍ୱାରା ପଡ଼ିଆର ସୁରକ୍ଷା ସହ ଲୋକଙ୍କ ସ୍ୱାସ୍ଥ୍ୟର ଆବଶ୍ୟକତାକୁ ମଧ୍ୟ ସମନ୍ୱୟ କରାଯାଇପାରିବ।
ଏକପଟେ ସରକାର ସୁସ୍ଥ ଜୀବନଶୈଳୀ, ଯୋଗ ଓ ବ୍ୟାୟାମ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ଅନ୍ୟପଟେ ସହରର ନାଗରିକମାନେ ନିରାପଦରେ ଚାଲିବା ପାଇଁ ଏକ ଖୋଲା ସ୍ଥାନ ନପାଇବା ବିଡ଼ମ୍ବନା ସୃଷ୍ଟି କରୁଛି। ଦୁର୍ଘଟଣା, କୁକୁର କାମୁଡ଼ା କିମ୍ବା ଛିନତାଇ ଘଟିବା ପରେ ପ୍ରଶାସନର ତତ୍ପରତା ଅପେକ୍ଷା, ପୂର୍ବରୁ ସୁରକ୍ଷିତ ବ୍ୟବସ୍ଥା କରିବା ଅଧିକ ଜରୁରୀ।
ଏହି ଜନସ୍ୱାର୍ଥ ସମ୍ପର୍କିତ ଦାବିକୁ ବାଲେଶ୍ୱର ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ବିଚାର କରିବାକୁ ବରିଷ୍ଠ ନାଗରିକମାନେ ଆହ୍ୱାନ ଜଣାଇଛନ୍ତି। ପୋଲିସ ରିଜର୍ଭ ପଡ଼ିଆରେ ସାଧାରଣଙ୍କ ପ୍ରବେଶ ଉପରେ କଟକଣାର କାରଣ ସ୍ପଷ୍ଟ କରିବା ସହ ସୀମିତ ସମୟ ପାଇଁ ପ୍ରାତଃଭ୍ରମଣ ଅନୁମତି ଦେବାକୁ ଦାବି ହେଉଛି। ଏ ଦିଗରେ ଜିଲ୍ଲାପାଳ, ବିଧାୟକ ଓ ସାଂସଦଙ୍କ ଦୃଢ଼ ହସ୍ତକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ୟା ଭୋଗୁଥିବା ପ୍ରାତଃଭ୍ରମଣକାରୀମାନେ ନିବେଦନ କରିଛନ୍ତି। ଏନେଇ ବାଲେଶ୍ୱର ଏସ୍‌ପି ପ୍ରତ୍ୟୁଷ ଦିୱାକରଙ୍କ ସହ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।
ପୋଲିସ ପଡ଼ିଆ କେବଳ ସଭା ଓ ସମାବେଶର ସ୍ଥାନ ନୁହେଁ; ଏହା ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ମଧ୍ୟ ଏକ ସମ୍ଭାବ୍ୟ ଆଶ୍ରୟ। ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ପଡ଼ିଆ ଖୋଲା ରଖିବାର ଦାବି ଏବେ ପ୍ରଶାସନର ନିଷ୍ପତ୍ତି ଅପେକ୍ଷାରେ।
Leave A Reply

Your email address will not be published.