ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି):ବାଲେଶ୍ୱର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାରରୁ ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା ଷ୍ଟେସନର ସୁରକ୍ଷା ଓ ତଦାରଖ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଏକ ବନ୍ଦ କୋଠରୀରୁ ମୃତଦେହ ମିଳିବା ପରେ ଯାତ୍ରୀ ବିଶ୍ରାମଗାରରେ ରହୁଥିବା ଯାତ୍ରୀଙ୍କ ସୁରକ୍ଷା ଓ ନିୟମିତ ଯାଞ୍ଚ ବ୍ୟବସ୍ଥା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି।
ମୃତ ବୃଦ୍ଧ ଜଣକ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ଅଞ୍ଚଳର ଅଶୋକ କୁମାର ପାତ୍ର ବୋଲି ଜଣାପଡ଼ିଛି। ସେ ବାଙ୍ଗିରିପୋଷି–ପୁରୀ ସୁପରଫାଷ୍ଟ ଟ୍ରେନ୍ରେ ୨୮ ତାରିଖରେ ପୁରୀ ଯାତ୍ରା ପାଇଁ ସଂରକ୍ଷିତ ଟିକଟ କରିଥିଲେ। ଗତ ୨୬ ତାରିଖରୁ ସେ ବାଲେଶ୍ୱର ରେଳ ଷ୍ଟେସନ ପରିସରରେ ଥିବା ଯାତ୍ରୀ ବିଶ୍ରାମଗାରର ଏକ କୋଠରୀରେ ରହୁଥିଲେ।
ଶୁକ୍ରବାର ସକାଳେ କୋଠରୀ ଖାଲି କରିବାର ସମୟ ହୋଇଥିଲେ ମଧ୍ୟ ଅଶୋକ କବାଟ ଖୋଲିନଥିଲେ। ରେଳବାଇ କର୍ମଚାରୀ ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଉତ୍ତର ନମିଳିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଶେଷରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଳବାଇ ଥାନା ପୁଲିସ କୋଠରୀ ଖୋଲିବା ପରେ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା।
ଅନ୍ୟପକ୍ଷରେ, ଅଶୋକ ଘରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ପୂର୍ବରୁ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ଘଟଣା ସମ୍ପର୍କରେ ଖବର ପାଇ ପରିବାର ସଦସ୍ୟ ଷ୍ଟେସନରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।
ପରିବାରର ସୂଚନା ଅନୁଯାୟୀ, ଅଶୋକ ପାଇଲସ୍ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦୀର୍ଘଦିନ ଧରି ରୋଗ ଯନ୍ତ୍ରଣା ଭୋଗୁଥିଲେ। ଏହି ଯନ୍ତ୍ରଣା ଯୋଗୁଁ ସେ ଚରମ ପଦକ୍ଷେପ ନେଇଥିବା ସନ୍ଦେହ ପ୍ରକାଶ କରି ପରିବାର ପୁଲିସକୁ ଜଣାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣାକୁ ନେଇ ବାଲେଶ୍ୱର ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ରେଳବାଇ ଥାନା ଆଇଆଇସି ଗଣେଶରାମ ସାଙ୍କ ସୂଚନା ଅନୁଯାୟୀ, ପରିବାରର ବୟାନ ଆଧାରରେ ପୁଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି।
ଏହି ଘଟଣା ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାରର ସୁରକ୍ଷା, ନିୟମିତ ଯାଞ୍ଚ ଓ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ବିଶ୍ରାମଗାରରେ ରହୁଥିବା ଯାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ରେଳ କର୍ତ୍ତୃପକ୍ଷଙ୍କ ତଦାରଖ କେତେ ସକ୍ରିୟ, ତାହା ଏବେ ଆଲୋଚନାର ବିଷୟ ହୋଇଛି।