ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି): ଶିକ୍ଷା ମଣିଷର ମସ୍ତିଷ୍କକୁ ଶକ୍ତିଶାଳୀ କରୁଥିବାବେଳେ କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବା ସହ ଚରିତ୍ରକୁ ଶୃଙ୍ଖଳିତ କରେ। ତେଣୁ କ୍ରୀଡ଼ା ବିନା ଶିକ୍ଷା ଏବଂ ଶିକ୍ଷା ବିନା କ୍ରୀଡ଼ା ଉଭୟ ଅସମ୍ପୂର୍ଣ୍ଣ ବୋଲି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ପରମିଟ୍ ପଡ଼ିଆରେ ସୁଲଗ୍ନା ପବ୍ଲିକ ସ୍କୁଲ ଓ କଲେଜର ୧୧ତମ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଥିଲେ। ସୁଲଗ୍ନା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଡ. ଘନଶ୍ୟାମ ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଜଣେ ଭଲ କ୍ରୀଡ଼ାବିତ୍ କେବଳ ଖେଳପଡ଼ିଆରେ ନୁହେଁ, ଜୀବନର ପ୍ରତ୍ୟେକ ପରୀକ୍ଷାରେ ନିଜର ଶ୍ରେଷ୍ଠତା ପ୍ରମାଣ କରିବାକୁ ଶିଖେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସୋର ତହସିଲଦାର କୃଷ୍ଣମୋହନ ସିଂହ, ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନା, ସୁଲଗ୍ନା ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ପ୍ରଫେସର ଚକ୍ରଧର ସାହୁ, ସୁଲଗ୍ନା ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମଧୁସ୍ମିତା ଦାସ ଏବଂ ବରିଷ୍ଠ ଶିକ୍ଷାବିତ୍ ଡ. ଶଙ୍କର୍ଷଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
କ୍ରୀଡ଼ା ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲମ୍ବଡ଼ିଆଁ, ଉଚ୍ଚଡ଼ିଆଁ, ଗୋଳା ଫିଙ୍ଗା, ଡିସ୍କସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ମ୍ୟୁଜିକ୍ ଚେୟାର, ବସ୍ତା ଡିଆଁ, ଚାମଚ-ଗୁଳି ଦୌଡ଼, ଦଉଡ଼ି ଡିଆଁ, ଦଉଡ଼ି ଟଣା, ମନ୍ଥର ସାଇକେଲ୍ ଚାଳନା, ତିନିଗୋଡ଼ିଆ ଦୌଡ଼ ସହ ୧୦୦, ୨୦୦, ୪୦୦ ଓ ୮୦୦ ମିଟର ଦୌଡ଼ तथा ରିଲେ ରେସ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗରେ ବିଜୟୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା।
ଅଧ୍ୟାପକ ଜେ.ଏନ୍. କାର୍ଯ୍ୟକ୍ରମ ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବର ସଫଳ ଆୟୋଜନରେ ସୌମ୍ୟରଞ୍ଜନ ପାଣିଗ୍ରାହୀ, ସଞ୍ଜୀବ ମିର୍ଦ୍ଧା, ରମେଶଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।