ରାଜ୍ୟସ୍ତରୀୟ କବାଡିରେ ଗଜପତିର ଡବଲ୍ ଧମାକା ।

ବାଳକ ଓ ବାଳିକା ଉଭୟ ବର୍ଗରେ ଚାମ୍ପିୟନ୍‌, ୬ ଖେଳାଳି ଜାତୀୟସ୍ତରକୁ ମନୋନୀତ ।

0

ଗଜପତି, ୨୫/୧୧ ( ମନୋଜ କୁମାର ପାଢୀଙ୍କ ରିପୋର୍ଟ): ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାରେ ଗଜପତି ଜିଲ୍ଲା ଚମତ୍କାର ସଫଳତା ହାସଲ କରିଛି। ବାଳକ ଓ ବାଳିକା ଉଭୟ ବର୍ଗରେ ଚାମ୍ପିୟନ୍‌ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଗଜପତିର ଖେଳାଳିମାନେ। ବାଳକ ବର୍ଗର ଫାଇନାଲ୍‌ରେ ସୁନ୍ଦରଗଡ଼କୁ ଏବଂ ବାଳିକା ବର୍ଗରେ କଟକକୁ ପରାସ୍ତ କରି ଏହି ଦ୍ୱିମୁକୁଟ ହାସଲ କରିଛି ଗଜପତି ଦଳ।
ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ପିଏମ୍‌ ଶ୍ରୀ ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ବାଳକ ଓ ବାଳିକା ଦଳ ଅଂଶଗ୍ରହଣ କରିଥିଲେ। ଆରମ୍ଭରୁ ଉଭୟ ବର୍ଗରେ ଉନ୍ନତ ପ୍ରଦର୍ଶନ କରି ଗଜପତି ଦଳ ଫାଇନାଲ୍‌ରେ ବିଜୟୀ ହୋଇ ଚାମ୍ପିୟନ୍‌ ଟ୍ରଫି ହାସଲ କରିଛି।
ଏହି ସଫଳତାକୁ ଆହୁରି ଗୌରବାନ୍ୱିତ କରିଛି ଜାତୀୟସ୍ତର ପାଇଁ ଗଜପତିର ୬ ଜଣ ଖେଳାଳିଙ୍କ ଚୟନ। ବାଳକ ବର୍ଗରୁ ସନାତନ ମଣ୍ଡଳ, ଦୀପକ ଶବର, ଚରଣ ତେଜ୍‌ ଓ ଉଦୟ ଶଙ୍କର ଏବଂ ବାଳିକା ବର୍ଗରୁ ସବିତା ମାଝୀ ଓ ଏଲିନା ନାୟକ ଜାତୀୟସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।
ଏହି ଦଳକୁ କେ. ବାସୁଦେବ ରେଡ୍ଡୀ, କାଳିଆ ପ୍ରଧାନ ଓ ଅଭିମନ୍ୟୁ ଗମାଙ୍ଗ ପ୍ରଶିକ୍ଷଣ ଦେଇଥିଲେ। ଅନ୍ୟପକ୍ଷରେ ଲିଙ୍ଗରାଜ ସାହୁ ଓ କିରଣ ପାହାଡ଼ସିଂ ମଧ୍ୟ ଉପସ୍ଥିତ ରହି ଦଳକୁ ଉତ୍ସାହିତ କରିଥିଲେ।
ଚାମ୍ପିୟନ୍‌ ଟ୍ରଫି ହାସଲ କରି ଆଜି ଗଜପତି ଫେରିବା ପରେ ରେଳଷ୍ଟେସନଠାରେ ବିଜୟୀ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିଙ୍କ ଏହି ଐତିହାସିକ ସଫଳତାରେ ଜିଲ୍ଲାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଜାତୀୟସ୍ତରରେ ମଧ୍ୟ ଏହି ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିବେ ବୋଲି କ୍ରୀଡ଼ାପ୍ରେମୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.