ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ଓ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମୟବଦ୍ଧ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମାନ ଯୋଗ୍ୟତା, ବିଷୟ ଓ ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଗୋଟିଏ ମିଳିତ ପରୀକ୍ଷା ଆୟୋଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ରାଜ୍ୟରେ ଏକ ସୁବ୍ୟବସ୍ଥିତ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।ବୁଧବାର ଲୋକସେବା ଭବନରେ ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସର ପ୍ରତିନିଧିମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ରଖିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଏକ ନିରପେକ୍ଷ, ସମୟବଦ୍ଧ ଓ ବିଶ୍ୱସନୀୟ ନିଯୁକ୍ତି ପ୍ରକ୍ରିୟା ଯୋଗାଇଦେବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ତେଣୁ ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟରେ ସ୍ୱଚ୍ଛତାର ସହ ଆୟୋଜନ କରିବା ସହ ଫଳାଫଳ ଶୀଘ୍ର ପ୍ରକାଶ କରିବା ଆବଶ୍ୟକ। ସୂଚନାଯୋଗ୍ୟ, ସ୍କୁଲ ବୋର୍ଡ ପରୀକ୍ଷାଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ମେଡିକାଲ ପ୍ରବେଶିକା ଏବଂ ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷାରେ ସଂସ୍କାର ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କଫୋର୍ସର ସଦସ୍ୟ ତପନ କୁମାର ଡେକା, ଅନୀତା କରୱାଲ, ପ୍ରଫେସର ଭି. କାମକୋଟି ଓ ସାଳିନୀ ମହାଜନ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ରାଜ୍ୟ ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ୨୦୨୪ ଜୁନ୍ରେ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ୫୨ ହଜାର ୫୧୪ଟି ନିଯୁକ୍ତି ପ୍ରଦାନ କରାଯାଇଥିବା ସେ କହିଥିଲେ। ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ‘ଓଡ଼ିଶା ପବ୍ଲିକ୍ ଏକ୍ଜାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪’ ଲାଗୁ କରିଛନ୍ତି। ସେହିପରି ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୪୨ ବର୍ଷକୁ ବୃଦ୍ଧି, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପ୍ରୟାସ ସଂଖ୍ୟା ସୀମା ଉଚ୍ଛେଦ ଏବଂ ୟୁନିଫର୍ମଡ୍ ସର୍ଭିସେସ୍ ପାଇଁ ସ୍ୱତନ୍ତ୍ର ଷ୍ଟାଫ୍ ସିଲେକ୍ସନ୍ କମିଶନ ଗଠନ ଭଳି ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଥିଲେ।
ଏହାସହ ପ୍ରଶାସନିକ ନିୟମ ଓ ପ୍ରକ୍ରିୟାକୁ ଅଧିକ ସରଳ ଏବଂ ପାରଦର୍ଶୀ କରିବା ପାଇଁ ସରକାର ‘କମିଟି ଅନ୍ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଗଭର୍ଣ୍ଣାନ୍ସ ରିଫର୍ମସ୍’ ଗଠନ କରିଥିବା ମଧ୍ୟ ଜଣାଇଥିଲେ।ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷା ସଂସ୍କାର ଏବଂ ଓଡ଼ିଶାର ଅଭିଜ୍ଞତା ସମ୍ପର୍କରେ ମତ ରଖିଥିଲେ।