ପ୍ରଫେସର କଇଳାଶ ପଟ୍ଟନାୟକ ପାଇବେ ‘ଦୁର୍ଗାବତୀ କଳାହାଣ୍ଡି ସ୍ମାରକୀ ସମ୍ମାନ’

•ନଭେମ୍ବର ୨୯ରେ ଚେତାବନୀ ସାହିତ୍ୟ ସଂସଦର ବାର୍ଷିକ ସମାବର୍ତ୍ତନ ଉତ୍ସବ; ବିଭିନ୍ନ କ୍ଷେତ୍ରରେ ୧୦ ଜଣ ପ୍ରତିଭାଙ୍କୁ ସମ୍ମାନ

0
ବାଲେଶ୍ୱର, ନଭେମ୍ବର ୨୨ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ, କେସିଙ୍ଗା, କଳାହାଣ୍ଡି ପକ୍ଷରୁ ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି।ଏଥିପାଇଁ ସଂସଦ ପକ୍ଷରୁ ରୁଷି ସାହା ସାଂସ୍କୃତିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ପୁରସ୍କାର ଓ ସମ୍ମାନ ପ୍ରଦାନ ସମ୍ପର୍କରେ ସୂଚନା ଦିଆଯାଇଛି।
ଆସନ୍ତା ନଭେମ୍ବର ୨୯ ତାରିଖ ରବିବାର ଅପରାହ୍ଣ ୫ଟାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରସ୍ଥିତ ରୁଷି ସାହା ସାଂସ୍କୃତିକ ଭବନରେ ସଂସଦର ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଶାନ୍ତିନିକେତନ, ପଶ୍ଚିମବଙ୍ଗରୁ ସେବା ନିବୃତ ପ୍ରଫେସର୍ ପ୍ରଖ୍ୟାତ କଥାକାର ଓ ସମାଲୋଚକ କଇଳାଶ ପଟ୍ଟନାୟକଙ୍କୁ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଓ ଅବଦାନ ପାଇଁ ସମ୍ମାନଜନକ ‘ଦୁର୍ଗାବତୀ କଳାହାଣ୍ଡି ସ୍ମାରକୀ ସମ୍ମାନ’ ପ୍ରଦାନ କରାଯିବ। ବିଶିଷ୍ଟ ସମାଜସେବୀ ସି.ଏ. ସନ୍ଦୀପ ବିଶ୍ୱାଳ ଏବଂ ସଂସଦର ବରିଷ୍ଠ ସଦସ୍ୟା ତଥା କଥାଶିଳ୍ପୀ ଓ କବି ନର୍ମଦା ନୀଳୋତ୍ପଳାଙ୍କ ମାତାଙ୍କ ସ୍ମୃତିରେ ପ୍ରଦତ୍ତ ଏହି ସମ୍ମାନ ସହ ୧୦ ହଜାର ଟଙ୍କାର ଅର୍ଥରାଶି, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ।
ସେହିପରି ପ୍ରବନ୍ଧ ସାହିତ୍ୟ ପାଇଁ ପ୍ରାଧ୍ୟାପକ ସନ୍ତୋଷ ଦେବତା (ପଦ୍ମପୁର), କାବ୍ୟ ଓ କବିତା ପାଇଁ ପ୍ରାଧ୍ୟାପକ ତୁହିନାଂଶୁ ରଥ (ଯାଜପୁର) ଏବଂ କଥା ସାହିତ୍ୟ ପାଇଁ ଚିରଶ୍ରୀ ଇନ୍ଦ୍ରସିଂ (କଟକ)ଙ୍କୁ ଯଥାକ୍ରମେ ‘ଚେତାବନୀ ପ୍ରବନ୍ଧ ସମ୍ମାନ’, ‘ଚେତାବନୀ କବିତା ସମ୍ମାନ’ ଓ ‘ଚେତାବନୀ କଥା ସମ୍ମାନ’ ପ୍ରଦାନ କରାଯିବ।
କବିତା କ୍ଷେତ୍ରରେ ସ୍ୱୟଂପ୍ରଭା ରଥ (ସମ୍ବଲପୁର)ଙ୍କୁ ‘ଜ୍ୟୋତି ମିଶ୍ର ସ୍ମୃତି ଯୁବ ପ୍ରତିଭା ସମ୍ମାନ’ ଏବଂ ଶିଶୁ ସାହିତ୍ୟ ପାଇଁ କବି କନ୍ଦର୍ପ ବେହେରା (ରେଢ଼ାଖୋଲ)ଙ୍କୁ ‘ପାର୍ଥ ବିଶି ସ୍ମୃତି କିଶୋର ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ଯୁବ କବି ପଲ୍ଲବୀ ଦାସ (ଜୁନାଗଡ଼) ‘ଯୁବ କବି ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ’ରେ ସମ୍ମାନିତ ହେବେ।
ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଭିକାରୀ ଚରଣ ମିଶ୍ର (ଟିଟିଲାଗଡ଼) ଓ ଶିକ୍ଷାବିତ୍ ବି. ଚନ୍ଦ୍ରଶେଖର ଆଚାରୀ (କେସିଙ୍ଗା)ଙ୍କୁ ‘ଚେତାବନୀ ଶିକ୍ଷା ସମ୍ମାନ’ ପ୍ରଦାନ କରାଯିବ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଭୂଷଣ ଠାକୁର (ଭବାନୀପାଟଣା)ଙ୍କୁ ‘ଚେତାବନୀ ସମାଜସେବୀ ସମ୍ମାନ’ ମିଳିବ। ଅନୁଷ୍ଠାନ ପ୍ରତି ଜୀବନବ୍ୟାପୀ ସେବା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ବରିଷ୍ଠ କବି ତଥା ସଂସଦର ସଦସ୍ୟ ନିରୋଜ ପଟ୍ଟନାୟକଙ୍କୁ ‘ଚେତାବନୀ ସୁହୃଦ ସମ୍ମାନ’ରେ ସମ୍ମାନିତ କରାଯିବ।
ସାମ୍ବାଦିକ ସମ୍ମିଳନୀରେ ସଂସଦର ସଭାପତି ଯାଜ୍ଞସେନୀ ସାହା, ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା, ଉପସଭାପତି ମଞ୍ଜୁମେଧା ଗୁରୁ ଓ ସାଂଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା ଉପସ୍ଥିତ ରହି ଏହି ସୂଚନା ପ୍ରଦାନ କରିଥିଲେ।
Leave A Reply

Your email address will not be published.