ବୃନ୍ଦାବନ ପ୍ୟାଲେସ ରାସ୍ତାରେ ଅଳିଆ ଆବର୍ଜନା, ପରିବେଶ ଦୂଷିତ କରୁଛନ୍ତି ଅସାମାଜିକ ବ୍ୟକ୍ତି ।

0

ଗଜପତି,୨୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ନିକଟସ୍ଥ ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସ ଯିବା ରାସ୍ତାରେ ଅଳିଆ ଆବର୍ଜନା ପଡ଼ି ରହିବା ସହ ପରିବେଶ ଦୂଷିତ ହେଉଥିବା ଦେଖିବାକୁ ମିଳୁଛି।ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ବିଶ୍ରାମ ନିମନ୍ତେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ସିମେଣ୍ଟ ଚୌକି ନିର୍ମାଣ କରାଯାଇଛି। ମାତ୍ର କିଛି ଅସାମାଜିକ ବ୍ୟକ୍ତି ସନ୍ଧ୍ୟା ସମୟରେ ସେଠାରେ ବସି ମଦ୍ୟପାନ କରିବା ସହ ଖାଲି ମଦ ବୋତଲ, ପ୍ଲାଷ୍ଟିକ ଓ ଖାଦ୍ୟର ଅବଶିଷ୍ଟାଂଶ ଏଣେତେଣେ ଫୋପାଡ଼ି ଦେଉଛନ୍ତି। ଫଳରେ ସୁନ୍ଦର ପର୍ଯ୍ୟଟନସ୍ଥଳୀକୁ ଯିବା ରାସ୍ତାର ପରିବେଶ ଅପରିଷ୍କାର ହେବା ସହ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।ସହରର ବହୁ ଲୋକ ପ୍ରତିଦିନ ପ୍ରାତଃ ଭ୍ରମଣ ଓ ବ୍ୟାୟାମ ନିମନ୍ତେ ଏହି ରାସ୍ତା ଦେଇ ବୃନ୍ଦାବନ ପ୍ୟାଲେସକୁ ଯାଇଥାନ୍ତି। ଏଥିସହ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହି ଐତିହାସିକ ସ୍ଥାନକୁ ପରିଦର୍ଶନରେ ଆସୁଥିବାରୁ ରାସ୍ତାର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ ବଜାୟ ରଖିବା ଅତ୍ୟନ୍ତ ଜରୁରୀ।ଏଣୁ ପ୍ରଶାସନ ପକ୍ଷରୁ ନିୟମିତ ସଫେଇ ବ୍ୟବସ୍ଥା, ଡଷ୍ଟବିନ୍ ସ୍ଥାପନ ଏବଂ ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ସାଧାରଣରେ ଦାବି ହେଉଛି। କେବଳ ପ୍ରଶାସନର ଉଦ୍ୟମ ନୁହେଁ, ସହରବାସୀଙ୍କ ସଚେତନତା ଓ ସହଯୋଗ ମଧ୍ୟ ଏଥିପାଇଁ ଅପରିହାର୍ଯ୍ୟ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.