ଗଣତାନ୍ତ୍ରିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ନିର୍ବାଚନୀ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା

• ଆଠଟି ବିଧାନସଭା କ୍ଷେତ୍ରରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

0
ବାଲେଶ୍ୱର, ୧୮/୧୧ (କୃଷ୍ଣ କୁମାର ମହାନ୍ତି): ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରସାର ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନୀ ସାକ୍ଷରତା କ୍ଲବ୍ (ELC) ଅଧୀନରେ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।
ବୁଧବାର ସକାଳ ୧୦ଟାରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହ ସମେତ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରମୁଖ ବ୍ଲକ୍ କାର୍ଯ୍ୟାଳୟଗୁଡ଼ିକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତପନ କୁମାର ଖୁଣ୍ଟିଆ, ଡେପୁଟି କଲେକ୍ଟର ତଥା ନିର୍ବାଚନ ବିଭାଗର ଅଧିକାରୀ ସମୀକ୍ଷା ବେଉରା, ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, ବିଭିନ୍ନ ଶିକ୍ଷାନୁଷ୍ଠାନର ନୋଡାଲ ଅଧିକାରୀ ଓ ନିର୍ବାଚନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଖୁଣ୍ଟିଆ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିର ଗୁରୁତ୍ୱ ଓ ମତଦାନ ପ୍ରକ୍ରିୟା ସମ୍ପର୍କରେ ବୁଝାଇଥିଲେ। ଭବିଷ୍ୟତର ଭୋଟର ଭାବେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ସେ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସକ୍ରିୟ ଭାବେ ଆଗେଇ ଆସିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।
ସମଗ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିସହ ଉପସ୍ଥିତ ଅତିଥିମାନଙ୍କ ସମ୍ମୁଖରେ ନିର୍ବାଚନୀ ସଚେତନତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏହି ପ୍ରତିଯୋଗିତା ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ୍ଣ ନାଗରିକତା ଓ ନିର୍ବାଚନୀ ସଚେତନତା ବୃଦ୍ଧି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା।
Leave A Reply

Your email address will not be published.