ଆନ୍ତର୍ଜାତୀୟ ଏସଟିଇଏମ୍ କର୍ମଶାଳାରେ ଯୋଗଦେବେ ବାଲେଶ୍ୱରର ଦୃଷ୍ଟିବାଧିତ ଛାତ୍ରଛାତ୍ରୀ

• ପହଲା ଓ ମନୀଷାଙ୍କ ସହ ଶିକ୍ଷକ ଗୌରାଙ୍ଗ ପ୍ରଧାନ ଯାତ୍ରା କଲେ ବାଙ୍ଗାଲୋର 

0
ବାଲେଶ୍ୱର, ୧୮/୧୧ (କୃଷ୍ଣ କୁମାର ମହାନ୍ତି): ଦୃଷ୍ଟିବାଧିତ ହେଲେ ମଧ୍ୟ ଶିକ୍ଷା ଓ ବିଜ୍ଞାନ ପ୍ରତି ଆଗ୍ରହରେ ପଛରେ ନାହାନ୍ତି ବାଲେଶ୍ୱରର ଛାତ୍ରଛାତ୍ରୀ। ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ ସହ ନୂତନ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଛନ୍ତି ରାଣୀପାଟଣାସ୍ଥିତ ଦୃଷ୍ଟିବାଧିତଙ୍କ ବିଦ୍ୟାଳୟର ଦୁଇ ଛାତ୍ରଛାତ୍ରୀ। ଆସନ୍ତା ନଭେମ୍ବର ୨୧ ଓ ୨୨ ତାରିଖରେ ବାଙ୍ଗାଲୋରସ୍ଥିତ ଆନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ଆୟୋଜିତ ଏକ ସ୍ୱତନ୍ତ୍ର ତାଲିମ ଓ କର୍ମଶାଳାରେ ଯୋଗଦେବା ପାଇଁ ସେମାନେ ଶିକ୍ଷକଙ୍କ ସହ ଯାତ୍ରା କରିଛନ୍ତି।
‘ଭିଭିଧା’ ଓ ‘ଭିଜନ ଏମ୍ପାୱାର ଟ୍ରଷ୍ଟ’ର ମିଳିତ ଆନୁକୂଲ୍ୟରେ ‘କ୍ୟୁରିଅସ୍ ମାଇଣ୍ଡ’ ଶୀର୍ଷକ ଏହି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ (STEM) କର୍ମଶାଳା ଆୟୋଜିତ ହେଉଛି। ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କୁ ଗଣିତ ଓ ବିଜ୍ଞାନ ପଢ଼ାଉଥିବା ଶିକ୍ଷକମାନଙ୍କ ଶିକ୍ଷାଦାନ ଦକ୍ଷତା ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା STEM ପ୍ରକଳ୍ପ ପ୍ରଦର୍ଶନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ ଚରଣ ପ୍ରଧାନଙ୍କ ସମେତ ନବମ ଶ୍ରେଣୀର ଛାତ୍ରୀ ମନୀଷା ଟୁଡୁ ଓ ଅଷ୍ଟମ ଶ୍ରେଣୀର ଛାତ୍ର ପହଲା ମୁର୍ମୁ ମନୋନୀତ ହୋଇଛନ୍ତି। ଏହି ଅଂଶଗ୍ରହଣ ମାଧ୍ୟମରେ ସେମାନେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ନୂତନ ଦିଗ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।
ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଏହି ସଫଳତା ଏବଂ ଜାତୀୟ ସ୍ତରୀୟ କର୍ମଶାଳାରେ ଅଂଶଗ୍ରହଣକୁ ନେଇ ଅନୁଷ୍ଠାନର ନିର୍ଦ୍ଦେଶକ ଦିବାକର ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଆନନ୍ଦ ଓ ଗର୍ବ ପ୍ରକାଶ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି।
Leave A Reply

Your email address will not be published.