ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଆଉ ୧ ଲକ୍ଷ ପକ୍କା ଘର, ମୋଟ ଆବାସ ଲକ୍ଷ୍ୟ ୫ ଲକ୍ଷକୁ ବୃଦ୍ଧି

• ବାଲେଶ୍ଵରରେ ଆବାସ ବଣ୍ଟନର ସିଧା ପ୍ରସାରଣରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଯୋଗ ଦେଇ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ

0
ବାଲେଶ୍ୱର, ୧୫/୧୧ (କୃଷ୍ଣ କୁମାର ମହାନ୍ତି): ରାଜ୍ୟର ଗ୍ରାମାଞ୍ଚଳରେ ଆବାସହୀନ ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଦିଗରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ରାଜ୍ୟକୁ ଅତିରିକ୍ତ ଏକ ଲକ୍ଷ ଆବାସ ମଞ୍ଜୁର ହୋଇଛି। ଏହାଦ୍ୱାରା ଓଡ଼ିଶାର ମୋଟ ଆବାସ ଲକ୍ଷ୍ୟ ୫ ଲକ୍ଷକୁ ବୃଦ୍ଧି ପାଇଛି। ଆବାସ ପ୍ଲସ୍‌-୨୦୨୪ ସର୍ଭେ ତାଲିକା ଆଧାରରେ ଏହି ନୂତନ ଆବାସ ଲକ୍ଷ୍ୟ ଆବଣ୍ଟନ କରାଯାଇଛି।
ଶନିବାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରୋଡ୍‌ସ୍ଥିତ ପାଟରଚେପା ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଆବାସ ଲକ୍ଷ୍ୟ ଘୋଷଣା କରିବା ସହ ଆବାସ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାର ସିଧା ପ୍ରସାରଣ ବାଲେଶ୍ୱର ସହରର ଆୟୁଷ୍ମାନ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ସଦର ବ୍ଲକ୍‌ ଅଧ୍ୟକ୍ଷା ସୁନୀତା ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏବଂ ମଣ୍ଡଳ ଶ୍ରମ ଆୟୁକ୍ତ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।
ରାଜ୍ୟକୁ ଅତିରିକ୍ତ ଏକ ଲକ୍ଷ ଆବାସ ମିଳିବା ଫଳରେ ପୂର୍ବରୁ ଯୋଜନାରୁ ବଞ୍ଚିତ ରହିଥିବା ଯୋଗ୍ୟ ପରିବାରଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ବିଶେଷକରି ଗ୍ରାମାଞ୍ଚଳର ଗରିବ, ଅସହାୟ ଓ ଘରହୀନ ପରିବାରଙ୍କୁ ସୁରକ୍ଷିତ ପକ୍କା ଘର ଯୋଗାଇବା ସହ ସେମାନଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ତେବେ ନୂତନ ଆବାସ ଲକ୍ଷ୍ୟ ଘୋଷଣା ପରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ଚୟନ, ଆବାସ ମଞ୍ଜୁରୀ ଓ ଘର ନିର୍ମାଣ ପାଇଁ ଅର୍ଥ ଯୋଗାଣ କେବେ ଆରମ୍ଭ ହେବ, ତାହାକୁ ନେଇ ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ଆଶା ଓ ଅପେକ୍ଷା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ଏହି ଅବସରରେ ବାଲେଶ୍ୱର ସଦର ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ଆସିଥିବା ଭତ୍ତା ହିତାଧିକାରୀଙ୍କୁ ମନ୍ତ୍ରୀ ସୁରେଶ ପୂଜାରୀ ଭତ୍ତା ବଣ୍ଟନ କରିଥିଲେ। ଆବାସ ଯୋଜନାର ନୂତନ ଲକ୍ଷ୍ୟ ଘୋଷଣା ସହ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଏହି ଆୟୋଜନର ଅନ୍ୟତମ ଆକର୍ଷଣ ଥିଲା।
Leave A Reply

Your email address will not be published.