ଶିଶୁ ଦିବସରେ ‘ସଞ୍ଜୀବନୀ’ର ଅନନ୍ୟ ପ୍ରୟାସ: ଶିଶୁଙ୍କ ମୁହଁରେ ଫୁଟିଲା ହସ, ମଲ୍ ଭ୍ରମଣ ସାଙ୍ଗକୁ ହେଲା ରକ୍ତ ପରୀକ୍ଷା।

ନବରଙ୍ଗପୁର (ଶେଖର ଖୁରା )ଶିଶୁ ଦିବସର ସ୍ମରଣୀୟ ଅବସରରେ ନବରଙ୍ଗପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଞ୍ଜୀବନୀ’ ପକ୍ଷରୁ ଜାନକୀନଗର ଅଞ୍ଚଳର ଶିଶୁମାନଙ୍କ ପାଇଁ ଏକ ଅଭିନବ ତଥା ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ଶ୍ରୀ ଜଗନ୍ନାଥ ମହାପାତ୍ର, ଶ୍ରୀ ପି. ଭେଙ୍କଟ ରାଓ, ଶ୍ରୀ ସୁଶାନ୍ତ ବେହେରା, ଶ୍ରୀମତୀ ସଂଯୁକ୍ତା ପଣ୍ଡା , ଶ୍ରୀ ଟିଙ୍କୁ ଜୈନ, ଶ୍ରୀ ନରସିଂହ ତ୍ରିପାଠୀ, ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ ଏବଂ ଆଇନ ଉପଦେଷ୍ଟା ଶ୍ରୀମତି କିଶୋରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହାପରେ ଶିଶୁମାନଙ୍କୁ ସହରର ପ୍ରସିଦ୍ଧ ‘ଷ୍ଟାଇଲ୍ ବଜାର’ (Style Bazar) ସୋପିଙ୍ଗ୍ ମଲ୍‌କୁ ଭ୍ରମଣ ପାଇଁ ଅଣାଯାଇଥିଲା। ଜୀବନରେ ପ୍ରଥମଥର ପାଇଁ ମଲ୍ ବୁଲିବାର ନିଆରା ଅନୁଭୂତି ପାଇ ଶିଶୁମାନଙ୍କ ମୁହଁରେ ଯେଉଁ ଆନନ୍ଦ ଓ ଉତ୍ସାହ ଖେଳିଯାଇଥିଲା, ତାହା ଥିଲା ଅତ୍ୟନ୍ତ ମନୋରମ। ପିଲାମାନେ ନିଜ ମନପସନ୍ଦର ଭଳିକିଭଳି ଶୀତବସ୍ତ୍ର ନିଜେ ଚୟନ କରିଥିଲେ, ଯାହାର ସମସ୍ତ ଖର୍ଚ୍ଚ ସଞ୍ଜୀବନୀ ଅନୁଷ୍ଠାନ ଦ୍ୱାରା ବହନ କରାଯାଇଥିଲା। ଏହା ସହ ଶିଶୁଙ୍କୁ ଦିଆଯାଇଥିଲା ଆକର୍ଷଣୀୟ ଉପହାର ।

କେବଳ ମନୋରଞ୍ଜନ ନୁହେଁ, ବରଂ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସଞ୍ଜୀବନୀ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାକୁ ଏକ ‘ରକ୍ତାଭାବ ମୁକ୍ତ ଜିଲ୍ଲା’ ରୂପେ ଗଢ଼ିତୋଳିବା ପାଇଁ ଅନୁଷ୍ଠାନ ଯେଉଁ ମହତ୍ ଲକ୍ଷ୍ୟ ରଖିଛି, ସେହି ମର୍ମରେ ଆଜି ଶିଶୁମାନଙ୍କର ରକ୍ତ ପରୀକ୍ଷା କରିବା ସହ ସେମାନଙ୍କ ରକ୍ତ ଗ୍ରୁପିଂ ମଧ୍ୟ କରାଯାଇଥିଲା। ଯେଉଁ ଶିଶୁମାନଙ୍କ ରକ୍ତରେ କୌଣସି ପ୍ରକାରର ସମସ୍ୟା ଦେଖାଯିବ, ସେମାନଙ୍କ ପିତାମାତାଙ୍କୁ ସଞ୍ଜୀବନୀ ସଂଗଠନ ପକ୍ଷରୁ ଭେଟି ସଚେତନ କରାଯିବା ସହ ଭବିଷ୍ୟତରେ ରକ୍ତର ଆବଶ୍ୟକତା ପଡ଼ିଲେ ତୁରନ୍ତ ଅନୁଷ୍ଠାନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯିବ। ଆଗାମୀ ଦିନରେ ଏଭଳି ଜନହିତକର କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଆୟୋଜନ କରିବାକୁ ଟିମ୍ ସଞ୍ଜୀବନୀ ଦୃଢ଼ ସଂକଳ୍ପ ନେଇଛି।

ନବରଙ୍ଗପୁର ଜିଲ୍ଲାକୁ ରକ୍ତାଭାବ ମୁକ୍ତ ଜିଲ୍ଲା ଭାବେ ଗଢି ଉଠିବା ପାଇଁ ଟିମ ସଞ୍ଜୀବନୀ ଦ୍ୱାରା ଏକସ୍ୱତନ୍ତ୍ର ଅପ୍ପଲିକେସନ ଓ QR Code ଜାରି କରାଯାଇଛି। ସ୍ବଇଛାରେ ରକ୍ତଦାନ ପାଇଁ ଅଥବା ରକ୍ତର ଆବଶ୍ୟକତା ଥିଲେ ଏହି ଅପ୍ପଲିକେସନ ଓ QR କଡର ବ୍ୟବହାର କାରି ଜନସାଧାରଣ ସଞ୍ଜୀବନୀ ଅନୁଷ୍ଠାନ ସହ ଯୋଗାଯୋଗ କରିପାରିବେ ।

ଏହି ମହତ୍ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନି, ନବରଙ୍ଗପୁର ଏସ.ଡି.ପି.ଓ. ଶ୍ରୀ କୃଷ୍ଣ ଚନ୍ଦ୍ର ଭତରାଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଜାନକୀନଗର ଅଞ୍ଚଳର ସି.ଆର୍.ସି.ସି. ଶ୍ରୀ ପ୍ରଦୀପ ସ୍ୱାଇଁ, ପ୍ରଧାନଶିକ୍ଷକ ଶ୍ରୀ ସତ୍ୟେନ୍ଦ୍ର ଦାଶ, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ‘ଟିମ୍ ସଞ୍ଜୀବନୀ’ ର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Comments are closed.