ବାଲେଶ୍ୱର ଷ୍ଟେସନରେ ଆରପିଏଫ୍‌ର ‘ମେରି ସହେଲୀ’ ଟ୍ରେନ୍‌ରେ ରହିଯାଇଥିବା ମହିଳା ଯାତ୍ରୀଙ୍କୁ ସ୍ୱାମୀଙ୍କ ସହ ମିଳାଇଲେ

0
ବାଲେଶ୍ୱର, ୫/୧୧(କୃଷ୍ଣ କୁମାର ମହାନ୍ତି): ଯାତ୍ରୀ ସୁରକ୍ଷା ଓ ମାନବିକ ସେବା କ୍ଷେତ୍ରରେ ରେଳ ସୁରକ୍ଷା ବଳ (ଆରପିଏଫ୍‌)ର ‘ମେରି ସହେଲୀ’ ଟିମ୍‌ ପୁଣିଥରେ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିଛି। ବାଲେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍‌ରୁ ଅସାବଧାନତାବଶତଃ ରହିଯାଇଥିବା ଜଣେ ମହିଳା ଯାତ୍ରୀଙ୍କୁ ତାଙ୍କ ସ୍ୱାମୀଙ୍କ ସହ ସୁରକ୍ଷିତ ଭାବେ ମିଳାଇ ଦେଇଛନ୍ତି ଆରପିଏଫ୍‌ କର୍ମଚାରୀ।
ସୂଚନା ଅନୁଯାୟୀ, ଗତ ୩ ତାରିଖ ସକାଳ ପ୍ରାୟ ୯ଟା ୫୫ ମିନିଟ୍‌ରେ ପ୍ଲାଟଫର୍ମ ନମ୍ବର ୨ରୁ ୧୫୬୪୦ ନମ୍ବର କାମାକ୍ଷା–ପୁରୀ ଏକ୍ସପ୍ରେସ୍‌ ଛାଡ଼ିବା ପରେ ଅମୁଲ୍‌ ଷ୍ଟଲ୍‌ ନିକଟରେ ଜଣେ ମହିଳା ଯାତ୍ରୀ କାନ୍ଦୁଥିବା ଓ ପୁରୀ ଯିବା ପାଇଁ ଟ୍ରେନ୍‌ ସମ୍ପର୍କରେ ପଚାରୁଥିବା ଦେଖିବାକୁ ପାଇଥିଲେ ଡ୍ୟୁଟିରେ ଥିବା ସିଫ୍ଟ ଅଫିସର ଏଏସ୍‌ଆଇ ଏସ୍‌.କେ. ମୁଦୁଲି ଓ ‘ମେରି ସହେଲୀ’ ଟିମ୍‌ର ମହିଳା କନଷ୍ଟେବଳ କେ. ସୁମତି।
ତୁରନ୍ତ ଉଭୟ ତାଙ୍କ ନିକଟକୁ ଯାଇ ଆଶ୍ୱାସନା ଦେବା ସହ ପିଇବା ପାଣି ଯୋଗାଇ ଦେଇଥିଲେ। ପଚରାଉଚରା ବେଳେ ମହିଳା ଜଣକ କହିଥିଲେ ଯେ, ସେ ସ୍ୱାମୀଙ୍କ ସହ ଆସାମ ଭ୍ରମଣ ସାରି ଘରକୁ ଫେରୁଥିଲେ। ବାଲେଶ୍ୱର ଷ୍ଟେସନରେ ପିଇବା ପାଣି ଭରିବା ପାଇଁ ଦୁହେଁ ଟ୍ରେନ୍‌ରୁ ଓହ୍ଲାଇଥିବା ବେଳେ ଅସାବଧାନତାବଶତଃ ଟ୍ରେନ୍‌ଟି ଛାଡ଼ି ଦେଇଥିଲା। ଫଳରେ ସେ ସ୍ୱାମୀଙ୍କଠାରୁ ଅଲଗା ହୋଇ ଷ୍ଟେସନରେ ରହିଯାଇଥିଲେ।
ପରେ ମହିଳାଙ୍କ ଠାରୁ ସ୍ୱାମୀଙ୍କ ମୋବାଇଲ୍‌ ନମ୍ବର ନେଇ ଆରପିଏଫ୍‌ କର୍ମଚାରୀ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ବାଲେଶ୍ୱର ଷ୍ଟେସନକୁ ଆସିବାକୁ ପରାମର୍ଶ ଦେଇଥିଲେ। ଦିନ ପ୍ରାୟ ୧ଟା ୪୫ ମିନିଟ୍‌ରେ ସ୍ୱାମୀ ଷ୍ଟେସନରେ ପହଞ୍ଚିବା ପରେ ପରିଚୟ ଯାଞ୍ଚ କରାଯାଇ ଲିଖିତ ସ୍ୱୀକୃତି ନେବା ପରେ ମହିଳାଙ୍କୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ତାଙ୍କ ସ୍ୱାମୀଙ୍କ ହସ୍ତାନ୍ତର କରାଯାଇଥିଲା।
ଆରପିଏଫ୍‌ର ଏହି ତ୍ୱରିତ ପଦକ୍ଷେପ ଓ ମାନବିକ ସହଯୋଗ ପାଇଁ ମହିଳାଙ୍କ ସ୍ୱାମୀ କୃତଜ୍ଞତା ଜଣାଇଥିଲେ। ଏହି ଘଟଣା ଯାତ୍ରୀଙ୍କ ସୁରକ୍ଷା ସହ ବିପଦ ଓ ଅସୁବିଧା ସମୟରେ ମହିଳା ଯାତ୍ରୀଙ୍କୁ ସହାୟତା ଯୋଗାଇବାରେ ଆରପିଏଫ୍‌ର ‘ମେରି ସହେଲୀ’ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନର୍ବାର ପ୍ରମାଣିତ କରିଛି।
Leave A Reply

Your email address will not be published.