ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁ ଓଡ଼ିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ ନିମନ୍ତେ ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକାନ୍ତ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଏହି ଉଚ୍ଚସ୍ତରୀୟ ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ରାଜ୍ୟରେ ବାରମ୍ବାର ଆସୁଥିବା ବାତ୍ୟା, ବନ୍ୟା ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟ କିପରି ବିକାଶମୂଳକ କାର୍ଯ୍ୟକୁ ବାଧାପ୍ରାପ୍ତ କରୁଛି, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ଟିମ୍ କେବଳ ତତ୍କାଳୀନ ରିଲିଫ ଓ ପୁନର୍ନିର୍ମାଣ ସହାୟତା ପ୍ରଦାନ ନକରି ଭବିଷ୍ୟତ ପାଇଁ ଏହାର ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟବାସୀଙ୍କୁ ଏହି ଦୁର୍ବର୍ଗରୁ ସ୍ଥାୟୀ ସମାଧାନ ଦେବା ପାଇଁ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ନିହାତି ଜରୁରୀ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିବା କେନ୍ଦ୍ରୀୟ ଟିମ୍ର ମୁଖ୍ୟ ରବିଶଙ୍କର ପ୍ରକାଶ କରିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଜନସାଧାରଣଙ୍କ ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଋଷିକୁଲ୍ୟା ନଦୀର ବନ୍ୟାଜଳ ମାଡ଼ିଆସିବା ଫଳରେ ବହୁ ଅଞ୍ଚଳରେ ଚାଷଜମି, ବାସଗୃହ, ରାସ୍ତାଘାଟ ଏବଂ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ବାଲିଚର ଜମି ଯାଇଛି। ଅନେକ ସ୍ଥାନରେ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ନଥିଲେ ମଧ୍ୟ ବନ୍ୟା ସ୍ରୋତରେ ଦୁର୍ବଳ ହୋଇପଡ଼ିଛି। ତେଣୁ ଦୀର୍ଘକାଳୀନ ସ୍ୱାର୍ଥ ଦୃଷ୍ଟିରୁ ଋଷିକୁଲ୍ୟା ନଦୀରୁ ବାଲି ଓ ପଙ୍କ ଉଦ୍ଧାର କରିବା ପାଇଁ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ଏହି ବ୍ୟାପକ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଓ ଚୂଡ଼ାନ୍ତ ଆକଳନ ରିପୋର୍ଟ ପ୍ରସ୍ତୁତ କରିବାକୁ ଆହୁରି ସାତରୁ ୮ ଦିନ ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି।
ତେବେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଦ୍ରୁତ ରିଲିଫ ଓ ପୁନର୍ବାସ କାର୍ଯ୍ୟକୁ କେନ୍ଦ୍ରୀୟ ଟିମ୍ ମୁକ୍ତକଣ୍ଠରେ ପ୍ରଶଂସା କରିଛି। ବିପର୍ଯ୍ୟୟର କିଛିଦିନ ଭିତରେ ରାସ୍ତାଘାଟକୁ ଗମନାଗମନ ଉପଯୋଗୀ କରାଯିବା ସହିତ ବିଦ୍ୟୁତ୍ ସେବା ମଧ୍ୟାନ୍ତରରେ ପୁନଃସ୍ଥାପନ କରାଯାଇଥିବା ନେଇ ସେମାନେ ସନ୍ତୋଷ ପ୍ରକଟ କରିଛନ୍ତି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତିର ସବିଶେଷ ବିବରଣୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ମୁକାବିଲା ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅବଗତ କରାଇଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଏକ ପ୍ରାରମ୍ଭିକ ଆକଳନ କରାଯାଇ ତୁରନ୍ତ ରିଲିଫ ଓ ପୁନର୍ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଏକ ଦାବୀ ପତ୍ର ଦାଖଲ କରାଯାଇସାରିଛି।