ତେନ୍ତୁଳୀଖୁଣ୍ଟି, (ଶେଖର ଖୁରା): ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା-୨୦୨୬ରେ ନବରଙ୍ଗପୁର ଜିଲ୍ଲାକୁ ମିଳିଛି ଅପୂର୍ବ ସଫଳତା। ତେନ୍ତୁଳୀଖୁଣ୍ଟି ବ୍ଲକସ୍ଥିତ ବାପୁଜୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ନବରଙ୍ଗପୁର ମାଟିର ଗୌରବକୁ ସାରା ରାଜ୍ୟରେ ଉଜ୍ଜ୍ୱଳ କରିଛନ୍ତି।
ଏହି ଅଭୂତପୂର୍ବ ସଫଳତା ପରେ ବାପୁଜୀ ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନେ ଜାତୀୟସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଏହା କେବଳ ବିଦ୍ୟାଳୟ ପାଇଁ ନୁହେଁ, ବରଂ ସମଗ୍ର ନବରଙ୍ଗପୁର ଜିଲ୍ଲା ତଥା ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ।
ଛାତ୍ରଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶଚନ୍ଦ୍ର ମହାଲିକ, ଶ୍ରୀମତୀ ସୁପ୍ରିୟା ନାୟକ, ଶ୍ରୀ ଶ୍ରୀକାନ୍ତ ଜାନି, ଡିପିଇଓ ଶ୍ରୀ ପ୍ରଭାତ ପଟ୍ଟନାୟକ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସମେତ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀବୃନ୍ଦ କୃତୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବାପୁଜୀ ଉଚ୍ଚ ବିଦ୍ୟାଳୟର ସମସ୍ତ କୃତୀ ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ଗାଇଡ୍ ଶିକ୍ଷକ ତଥା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଏହି ଗୌରବମୟ ସଫଳତା ପାଇଁ ଅଶେଷ ଧନ୍ୟବାଦ ଓ ସାଧୁବାଦ ଜଣାଯାଇଛି।
ଏହି ସଫଳତା ଜିଲ୍ଲାର ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ କଳା, ସଂସ୍କୃତି ଓ ଲୋକନୃତ୍ୟ ପ୍ରତି ଆଗ୍ରହୀ କରିବା ସହ ଭବିଷ୍ୟତରେ ଆହୁରି ଅନେକ ସଫଳତା ଆଣିବ ବୋଲି ଆଶା ପ୍ରକାଶ ପାଇଛି।
ଶେଖର ଖୁରାଙ୍କ ରିପୋର୍ଟ, ନବରଙ୍ଗପୁର।