ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ କେତେକ ସେତୁ ଉପରେ ଜଳ ପ୍ରବାହିତ ହେବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବର୍ଷାଜଳ ଜନବସତି ମଧ୍ୟକୁ ପ୍ରବେଶ କରିବାରୁ ବିଭିନ୍ନ ଅଞ୍ଚଳର ଲୋକେ ନିଜ ଘର ଛାଡ଼ି ସୁରକ୍ଷିତ ଆଶ୍ରୟସ୍ଥଳୀରେ ରହିବାକୁ ବାଧ୍ୟ ହୋଇଛନ୍ତି।ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଉପସ୍ଥିତ ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଓ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ସେହିପରି ବ୍ଲକସ୍ତରରେ ନିଯୁକ୍ତ ନୋଡାଲ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ଏବଂ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ ଜାରି ରଖିଛନ୍ତି। ପ୍ରଶାସନର ମିଳିତ ଉଦ୍ୟମରେ ବିପଦସଙ୍କୁଳ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ – କେରାଣ୍ଡି ରାସ୍ତାର ମାଟି ଅତଡା ଖସି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି। ପ୍ରଶାସନ ପକ୍ଷରୁ ରାସ୍ତାକୁ ସଫା କରିବା ନିମନ୍ତେ ପ୍ରୟାସ ଜାରି ରହିଛି। ସେହିପରି ଜିରାଙ୍ଗ ସଦରମହକୁମା ଖ୍ରୀଷ୍ଟିଆନ ସାହିରେ ନିକଟସ୍ଥ ନାଳ ପାଣି ପ୍ରବେଶ କରିଥିବାରୁ ଲୋକମାନେ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କାଟି ରାସ୍ତାକୁ ଗମନାଗମନର ଉପଯୋଗୀ କରୁଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପୁର୍ଣ୍ଣ ଧୋଇ ହୋଇ ଯାଇଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିବା ଜଣାପଡିଛି।ଏପଟେ ଜିଲ୍ଲାର ମହେନ୍ଦ୍ରତନୟା ଓ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ନଦୀ ନିକଟକୁ ନଯିବା ସହ ଜଳସ୍ତର ଉପରେ ନଜର ରଖିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୌଣସି ଅଘଟଣ ଘଟିଥିବା ଖବର ମିଳିନାହିଁ ବୋଲି ସୂଚନା ମିଳିଛି। ବାତ୍ୟାଜନିତ ପରିସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସ୍ୱାଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି।
Sign in
Sign in
Recover your password.
A password will be e-mailed to you.