କାଶୀନଗର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।

0

ଗଜପତି, 14.10( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା କାଶୀନଗର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ଡମ୍ବରୁଧର ମଲ୍ଲିକ ପଦୋନ୍ନତି ପାଇ ବଲାଙ୍ଗୀର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇବା ପରେ କାଶୀନଗର ବ୍ଲକ ପକ୍ଷରୁ ତାଙ୍କୁ ଏକ ଭାବବିହ୍ୱଳ ପରିବେଶରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଶ୍ରୀ ମଲ୍ଲିକ ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ ଓ ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ପ୍ରଶାସକ ଭାବେ ପରିଚିତ ଥିଲେ। କାଶୀନଗର ବ୍ଲକରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇ ପାରିଥିଲା। ଗ୍ରାମାଞ୍ଚଳର ବିକାଶ ସହ ଲୋକଙ୍କ ସମସ୍ୟାର ସମାଧାନ ଉପରେ ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିଲେ।ବିଭିନ୍ନ ଗ୍ରାମକୁ ଯାଇ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ଓ ସମାଧାନ ଦିଗରେ ପ୍ରୟାସ କରୁଥିବାରୁ ସେ ଅଞ୍ଚଳବାସୀଙ୍କ ନିକଟରେ ବେଶ୍ ଆଦୃତ ହୋଇ ପାରିଥିଲେ।ତାଙ୍କର ବିଦାୟକାଳୀନ ସଭାରେ ବ୍ଲକର ସମସ୍ତ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇ ତାଙ୍କର କାର୍ଯ୍ୟଦକ୍ଷତା, ସହଯୋଗୀ ମନୋଭାବ ଓ ଉନ୍ନୟନମୂଳକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କ ସହ କାର୍ଯ୍ୟ କରିବାର ଅନୁଭୂତିକୁ ସ୍ମରଣ କରିବା ସହ ନୂତନ କାର୍ଯ୍ୟସ୍ଥଳୀରେ ମଧ୍ୟ ସେ ନିଜର ଦକ୍ଷତା ଓ ନିଷ୍ଠା ବଳରେ ସଫଳତା ହାସଲ କରିବେ ବୋଲି ଉପସ୍ଥିତ ଅତିଥିମାନେ ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମାନସ ରଞ୍ଜନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଏବଂ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାହାଦୁରଙ୍କ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଶେଷରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଉଜ୍ଜ୍ୱଳ ଭବିଷ୍ୟତ ଓ ନୂତନ ଦାୟିତ୍ୱରେ ସଫଳତା କାମନା କରି ତାଙ୍କୁ ବିଦାୟ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.