ବାଘମାରି ପଞ୍ଚାୟତରେ PVTG ବିତ୍ତ ସମୃଦ୍ଧ ଗ୍ରାମ ଅଭିଯାନ ଅନ୍ତର୍ଗତ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ।

0

ମୋହନା,୧୪.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଗଜପତି: ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ‘PVTG ବିତ୍ତ ସମୃଦ୍ଧ ଗ୍ରାମ’ ପଦକ୍ଷେପ ଅନ୍ତର୍ଗତ ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଓ ବିକାଶ ନିଗମ (NSTFDC) ପକ୍ଷରୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ମୋହନା ଶାଖାର ସହଯୋଗରେ ଗଜପତି ଜିଲ୍ଲାର ବାଘମାରି ପଞ୍ଚାୟତ ଅନ୍ତର୍ଗତ ବାଘମାରି ଓ ଶିଙ୍କୁଳିପଦର ଗ୍ରାମରେ ଏକ ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହୋଇଯାଇଛି।

ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG)ର ଲୋକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହିତ ବ୍ୟାଙ୍କିଂ ସେବା, ସଞ୍ଚୟ, ଆର୍ଥିକ ଯୋଜନା ଏବଂ ସରକାରୀ ଆର୍ଥିକ ସୁବିଧା ସମ୍ପର୍କରେ ସଚେତନ କରାଇବା। ଏହାଦ୍ୱାରା ଜନଜାତି ସମ୍ପ୍ରଦାୟର ଲୋକମାନେ ବ୍ୟାଙ୍କିଂ ସେବାର ଅଧିକ ସୁଯୋଗ ନେବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଏହି ପଦକ୍ଷେପର ଲକ୍ଷ୍ୟ ରହିଛି।

କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ପରିଚାଳକ (LDM) ଶ୍ରୀ ଅଭିଷେକ ମିଶ୍ର, ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଓ ବିକାଶ ନିଗମ (NSTFDC), ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟର ମୁଖ୍ୟ ଜୋନାଲ୍ ମ୍ୟାନେଜର ଶ୍ରୀ ସୁନୀଲ କୁମାର ସାହୁ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଛେଳିଗଡ଼ ଶାଖାର ଶାଖା ପରିଚାଳକ ଶ୍ରୀ ଅରବିନ୍ଦ ଖଣ୍ଡାଇ ଏବଂ ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରିର ସ୍ୱତନ୍ତ୍ର ପଦାଧିକାରୀ ଶ୍ରୀ ଦିନେଶ କୁମାର ଦେଓ ଯୋଗଦେଇଥିଲେ।

ଏଥିସହିତ ଚୁଡ଼ଙ୍ଗପୁରର ସରପଞ୍ଚ ଶ୍ରୀମତୀ ସବିତା ଗମାଙ୍ଗ, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରିର NC ଶ୍ରୀ ସଚିତ୍ର କୁମାର ବେହେରା, GPNA ଶ୍ରୀ ବିବେକାନନ୍ଦ ଚୌଧୁରୀ, GPNA ଶ୍ରୀମତୀ ସୁଶେନି ରଇତ ଏବଂ ଶ୍ରୀମତୀ ଜିଜାବାଈ ବଡ଼କୁମର ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ।

ଏହି ଶିବିର ମାଧ୍ୟମରେ ଜନଜାତି ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି କରିବା, ବ୍ୟାଙ୍କିଂ ସେବା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନିଆଯାଇଛି। ଏପରି କାର୍ଯ୍ୟକ୍ରମ ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶକୁ ଅଧିକ ଗତିଶୀଳ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.