ଭୁବନେଶ୍ୱର/ସମ୍ବଲପୁର: ସ୍ଥାନୀୟ ଗ୍ରାମବାସୀଙ୍କୁ ଆସ୍ଥାକୁ ନେଇ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସମସ୍ତ ବିକାଶମୂଳକ କାର୍ଯ୍ୟ କରିବାକୁ ଶିଳ୍ପାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ଶିଳ୍ପ ଓ ଖଣି କମ୍ପାନୀଗୁଡ଼ିକର କାର୍ଯ୍ୟକାରିତା ତଥା ସିଏସ୍ଆର (ସାମାଜିକ ଉତ୍ତରଦାୟିତ୍ୱ) ପାଣ୍ଠି ବିନିଯୋଗକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହି ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଶିଳ୍ପାଞ୍ଚଳରେ ରୋଜଗାର ସୃଷ୍ଟି, ମହିଳା ସଶକ୍ତିକରଣ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ସମ୍ବଲପୁର ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଖଣିଗୁଡ଼ିକର କାର୍ଯ୍ୟକାରିତା ଏବଂ ସେମାନଙ୍କର ଇଣ୍ଡଷ୍ଟ୍ରିଆଲ୍ ଓ ମାଇନିଂ ଆକ୍ଟିଭିଟିଜ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ଶେଷରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହା ପ୍ରକାଶ କରିଛନ୍ତି। ଉକ୍ତ ବୈଠକରେ ବିଭିନ୍ନ କମ୍ପାନୀଗୁଡ଼ିକ ପକ୍ଷରୁ ସେମାନଙ୍କର ବାର୍ଷିକ ସିଏସ୍ଆର ପାଣ୍ଠିର ହିସାବ ଏବଂ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟ ରାଜପଥ-୧୦ ଉପରେ ବୃଦ୍ଧି ପାଉଥିବା ଭାରୀ ଯାନବାହନ ଓ ବିଭିନ୍ନ ପାୱାର ପ୍ଲାଣ୍ଟର ଲୋଡ୍ ଏବଂ ପରିବହନ ବ୍ୟବସ୍ଥା ନେଇ ସବିଶେଷ ଆଲୋଚନା ହୋଇଥିଲା। ବିଭିନ୍ନ କମ୍ପାନୀର ପରିବହନ ଚାପ ଏହି ରାସ୍ତା ଉପରେ ପଡ଼ୁଥିବାରୁ ଏହାର ଏକ ଦୂରଦର୍ଶୀ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଏକ ପବ୍ଲିକ୍ ରୋଡ୍ ହୋଇଥିବାରୁ, ଇଣ୍ଡଷ୍ଟ୍ରିଗୁଡ଼ିକ ନିଜସ୍ୱ ପାର୍କିଂ ବ୍ୟବସ୍ଥା କରନ୍ତୁ ବୋଲି ସାଂସଦ ପରାମର୍ଶ ଦେଇଛନ୍ତି। ଫଳରେ ଗାଡ଼ିଗୁଡ଼ିକର ଧୂଳି ଓ ଅସୁବିଧାରୁ ସାଧାରଣ ଲୋକେ ମୁକ୍ତି ପାଇବେ।
ରେଙ୍ଗାଲି ବ୍ଲକର ନୂଆ ବସ୍ଷ୍ଟାଣ୍ଡରୁ ଖେରୁୱାଲ ବ୍ରିଜ୍ ପର୍ଯ୍ୟନ୍ତ ୧୫ କିଲୋମିଟର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ସେଠାରେ ଆଲୋକ ବ୍ୟବସ୍ଥା କରିବା, ରାସ୍ତାକୁ ଠିକରେ ପାଣି ପକାଇ ମେଣ୍ଟେନ୍ କରିବା ଏବଂ ପିଡବ୍ଲ୍ୟୁଡି ତଥା ଏଲ୍ଏଣ୍ଡ୍ଟି ସହ ଆଲୋଚନା କରି ରାସ୍ତାକୁ ଆବଶ୍ୟକତା ଅନୁଯାୟୀ ଅଧିକ ଚଉଡ଼ା କରାଯିବ। ଷ୍ଟେଟ ହାଇୱେର ପ୍ରାୟ ୧୫ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ସରକାର ଓ ପିଡବ୍ଲ୍ୟୁଡି ବିଭାଗ ସହ ଆଲୋଚନା କରି ଏକ ବିଶେଷ ଅନୁଦାନ ଓ ଦାୟିତ୍ୱ ଗ୍ରହଣ କରନ୍ତୁ । ଧୂଳି ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମ୍ପାନୀଗୁଡ଼ିକ ନିୟମିତ ଜଳ ସିଞ୍ଚନ ଏବଂ ପରିବେଶ ସହଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବୈଠକରେ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।