ବାଲେଶ୍ୱର, ୨ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ବାଲେଶ୍ୱରରେ ଶ୍ରଦ୍ଧା, ଭକ୍ତି ଓ ଦେଶପ୍ରେମର ଭାବନାରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବାହ୍ନ ୯.୩୦ରେ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା।
ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶକୁ ସ୍ମରଣ କରିଥିଲେ। ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବହୁ ଗଣମାନ୍ୟ ବ୍ୟକ୍ତି ସମାରୋହରେ ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।
ଏହା ପୂର୍ବରୁ ଭୋର ୪ଟାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବାଲେଶ୍ୱର ସହରରେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ୮.୩୦ରେ ଶହୀଦ ପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସମାରୋହରେ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ପକ୍ଷରୁ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଓ ଆଶ୍ରମ ଭଜନ ପରିବେଷଣ କରାଯାଇଥିଲା। ଏହାପରେ ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମଗୁରୁଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏଥିରେ ଶାନ୍ତି, ସଦ୍ଭାବ, ଭାଇଚାରା ଓ ଏକତାର ବାର୍ତ୍ତା ପ୍ରସାର ସହ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସମାରୋହରେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା, ସ୍ୱାବଲମ୍ବନ, ଗ୍ରାମ ସ୍ୱରାଜ, ସାମାଜିକ ସମାନତା ଓ ଅହିଂସାର ଆଦର୍ଶକୁ ଅନୁସରଣ କରି ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ ଓ ସମୃଦ୍ଧ ସମାଜ ଗଠନରେ ସମସ୍ତେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏଥିସହ ଲାଲବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଜବାନ, ଜୟ କିଷାନ’ ମନ୍ତ୍ରର ମହତ୍ତ୍ୱ ଓ ଦେଶ ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା।
ସମାରୋହର ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶକୁ ସ୍ମରଣ କରି ଶାନ୍ତି, ଏକତା, ଭାଇଚାରା ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବାର ବାର୍ତ୍ତା ସହ ସମାରୋହର ପରିସମାପ୍ତି ଘଟିଥିଲା।