ଶିକ୍ଷାବିତଙ୍କ ସ୍ମୃତି ସମାରୋହ ଓ ଶିକ୍ଷକଙ୍କୁ ସେବାନିବୃତ ସମ୍ବର୍ଦ୍ଧନା ପ୍ରଦାନ

0

ନୟାଗଡ଼ ( ୨୯। ୦୯) : ରଣପୁର ବ୍ଲକ ନରେନ୍ଦ୍ରପୁରସ୍ଥ ବାସୁଦେବ ଦୁର୍ଯ୍ୟୋଧନ ଆଞ୍ଚଳିକ ବିଦ୍ୟାପୀଠର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରୟାତ ଚକ୍ରଧର ସ୍ୱାଇଁଙ୍କର ଏକାଦଶ ବାର୍ଷିକ ସ୍ମୃତି ସମାରୋହ ସହିତ ରାଷ୍ଟ୍ରଭାଷା ଶିକ୍ଷକ ଶରତ କୁମାର ସାହୁଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ମହନ୍ତ ଗୋପାଳ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ଇଂ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ସ୍ବର୍ଗତ ସ୍ୱାଇଁଙ୍କ ବିଦ୍ୟାଳୟ ଗଠନରେ ଅବଦାନ ସହିତ ଛାତ୍ରଛାତ୍ରୀ ଶୃଙ୍ଖଳିତ ବିଦ୍ୟାର୍ଥୀ ଜୀବନ ସମ୍ବନ୍ଧରେ ଉପଦେଶ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ପ୍ରାଧ୍ୟାପକ ଦାଶରଥି ବିଶ୍ୱାଳ ଯୋଗଦେଇ ସ୍ବର୍ଗତ ସ୍ୱାଇଁଙ୍କ ଆଦର୍ଶ ବ୍ୟକ୍ତିତ୍ୱର ଅବତାରଣା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଇତିହାସର ଅବତାରଣା କରି ନିଷ୍ଠାବାନ ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଉପଦେଶ ପ୍ରଦାନ କରିଥିଲେ। ଏଥି ସହିତ ସେବାନିବୃତ ଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ତ୍ୟାଗପୂତ ତଥା ପ୍ରତିବଦ୍ଧ ଶିକ୍ଷକ ଜୀବନର ଅବତାରଣା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ବନାଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳ ଯୋଗଦେଇ ସ୍ବର୍ଗତ ସ୍ୱାଇଁଙ୍କ ସ୍ମୃତି ଚାରଣ କରିବା ସହିତ ଉପସ୍ଥିତ ଅତିଥି ମାନଙ୍କ ସହ “ସ୍ମୃତିବନ” ନାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସାମନ୍ତରାୟ, କବି ତଥା ଶିକ୍ଷକ ଭକ୍ତବଲ୍ଲଭ ପଟ୍ଟନାୟକ, ରାମଚନ୍ଦ୍ର ବିଶୋଇ, ଗୋପାଳ ଚନ୍ଦ୍ର ମହାରଣା, ଓଷ୍ଟାର ନୟାଗଡ ଜିଲ୍ଲା ସଂପାଦକ ଦିବାକର ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ଶିକ୍ଷାପ୍ରେମୀ ଭୁବନ ନାୟକ, ସରପଞ୍ଚ ତ୍ରିନାଥ ରାଉତ, ଶିକ୍ଷାପ୍ରେମୀ ଗୟାଧର ସ୍ୱାଇଁ, ଶିକ୍ଷାବିତ୍ ନିରଞ୍ଜନ ପାଇକରାୟ ପ୍ରମୁଖ ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଗଠନରେ ସ୍ବର୍ଗତ ସ୍ୱାଇଁ ଓ ଶ୍ରୀଯୁକ୍ତ ସାହୁଙ୍କ ଅବଦାନର ଅବତାରଣା କରଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମନୋଜ କୁମାର ଗୁମାନସିଂହ ଅତିଥିମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ କବିରାଜ ବେହେରାଙ୍କ ସଂଯୋଜନାରେ ଛାତ୍ରୀ ମୋନାଲିସା, ଦିବ୍ୟାଶା, ସାଇନି, ଇତିଶ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ୨୦୨୬ ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ତୁଳସୀ ସାହୁ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସୁଧାଂଶୁ କୁମାର ସାହୁଙ୍କୁ “ଚକ୍ରଧର ସ୍ୱାଇଁ ସ୍ମୃତି ସମ୍ମାନ” ପ୍ରଦାନ କରାଯିବା ସହ ମୁଖ୍ୟଅତିଥି ତାଙ୍କର ସ୍ବର୍ଗତ ପିତା ଶିକ୍ଷାପ୍ରେମୀ ଗଦାଧର ସାହୁଙ୍କ ନାମରେ ଦୁଇ ବିଦ୍ୟାର୍ଥୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଚକ୍ରଧର ସ୍ୱାଇଁଙ୍କ ବିଦ୍ୟାଳୟ ପ୍ରତିଷ୍ଠାରେ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଅବସର ନେଉଥିବା ଶିକ୍ଷକ ଶରତ କୁମାର ସାହୁଙ୍କ ଛାତ୍ରବତ୍ସଳତା ଓ ବିଭିନ୍ନ ବିଷୟ ଶିକ୍ଷାଦାନରେ ଆଗ୍ରହ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ। ଆଲୁମିନି କମିଟି ତରଫରୁ ଶିକ୍ଷୟିତ୍ରୀ ଅମ୍ରିତା ସିଂହ ଓ ଶିକ୍ଷକ ଅଶୋକ କୁମାର ଦାସ ସେମାନଙ୍କ ବିଦ୍ୟାର୍ଥୀ ଜୀବନରେ ଦିବଂଗତ ଆଦର୍ଶ ଶିକ୍ଷକ ଚକ୍ରଧର ସ୍ୱାଇଁ ଓ ଅବସର ନେଇଥିବା ଶିକ୍ଷକ ଶରତ କୁମାର ସାହୁଙ୍କ ଆଦର୍ଶ କିପରି ନିଜ ଜୀବନରେ ପ୍ରତିଫଳିତ କରିପାରିଛନ୍ତି, ତା’ର ଅବତାରଣା କରିଥିଲେ। ସ୍ମୃତି କମିଟି ତଥା ବିଦ୍ୟାଳୟ ତରଫରୁ ଶିକ୍ଷକ ଶରତ କୁମାର ସାହୁଙ୍କ ଜୀବନ ବ୍ୟାପି ସାଧନା ନିମନ୍ତେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଆଲୁମିନିମାନେ ବିଦାୟୀ ଶିକ୍ଷକଙ୍କୁ ଉପହାର ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବୌଦ୍ଧିକ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ପ୍ରମୋଦ କୁମାର ଦଳବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼ ।

Leave A Reply

Your email address will not be published.