ବଡ଼କଳାକୋଟରେ ପ୍ରବାସୀ ଶ୍ରମିକଙ୍କ ଆଇନଗତ ଅଧିକାର ନେଇ ସଚେତନତା କାର୍ଯ୍ୟକ୍ରମ ।

0

ଗଜପତି,୩୦.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ବଡ଼କଳାକୋଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରବାସୀ ଶ୍ରମିକମାନଙ୍କ ଆଇନଗତ ଅଧିକାର ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଡିଏଲଏସଏର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏବଂ ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା।କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା, ସେମାନଙ୍କର ଆଇନଗତ ଅଧିକାର ଏବଂ ଆଇନଗତ ସମସ୍ୟାର ସମାଧାନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏଥିସହ ‘ଡାନିଏଲ ଲତିଫି ବନାମ ଭାରତ ସରକାର’ ମାମଲାର ରାୟ ଓ ଏହାର ବିଭିନ୍ନ ଆଇନଗତ ଦିଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ସଚେତନତା କାର୍ଯ୍ୟକ୍ରମରେ ଡିଏଲଏସଏର ସଚିବ ଶ୍ରୀ ବିମଳ ରାଉଳ, ଜିଲ୍ଲା ଅଦାଲତର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର, ଗୁମ୍ମା ବିଡିଓ ଶ୍ରୀ ଦୁଲାରାମ ମାରାଣ୍ଡି, ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଗୁମ୍ମା ସହକାରୀ ଶ୍ରମ ଅଧିକାରୀ ଶ୍ରୀ କାଲୁ ରାଉତ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସତ୍ୟଜିତ ବେହେରା, ଗୁମ୍ମା ଆଉଟପୋଷ୍ଟ ସବ୍-ଇନ୍ସପେକ୍ଟର ଶ୍ରୀ ପ୍ରଶାନ୍ତ ପାଲକା, ବଡ଼କଳାକୋଟ ସରପଞ୍ଚ ଶ୍ରୀ ମୋସେକା ଗମାଙ୍ଗ, ପାରା ଲିଗାଲ ଭଲ୍ୟୁଣ୍ଟିୟର ଶ୍ରୀମତୀ ଶଶୀରେଖା ବିଷୋୟୀ ଓ ସମାଜସେବୀ ଶ୍ରୀ ଦୟା ପାଲକା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରବାସୀ ଶ୍ରମିକଙ୍କ ଅଧିକାର, ସେମାନଙ୍କ ସମସ୍ୟାର ଆଇନଗତ ସମାଧାନ, ମାଗଣା ଆଇନ ସେବା ପାଇବାର ସୁଯୋଗ ଏବଂ ଡାନିଏଲ ଲତିଫି ମାମଲାର ଗୁରୁତ୍ୱ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏଭଳି ସଚେତନତା କାର୍ଯ୍ୟକ୍ରମ ପ୍ରବାସୀ ଶ୍ରମିକ ଓ ସାଧାରଣ ଲୋକଙ୍କୁ ନିଜର ଆଇନଗତ ଅଧିକାର ସମ୍ପର୍କରେ ଅବଗତ କରାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.