ଭୁବନେଶ୍ୱର, ୨୩ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସେଣ୍ଟର ଫର୍ ଡିଷ୍ଟାନ୍ସ ଆଣ୍ଡ୍ ଅନଲାଇନ୍ ଏଜୁକେସନର ହେରିଟେଜ୍ ହଲ୍ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ୍ ରକ୍ତଭଣ୍ଡାରର ସହଯୋଗରେ ସିଡିଓଇର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ଶିବିରର ଆୟୋଜନ କରାଯାଇଥିଲା।
ମାନ୍ୟବର ରାଜ୍ୟପାଳଙ୍କ ‘ସ୍ୱସ୍ଥ ଭାରତ’ ଗଠନ ତଥା ‘ସର୍ବଶ୍ରେଷ୍ଠ ଭାରତ’ର ପରିକଳ୍ପନାକୁ ପାଥେୟ କରି କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ମାର୍ଗଦର୍ଶନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ଏବଂ ରେଜିଷ୍ଟ୍ରାର୍ ଡକ୍ଟର ସ୍ୱାତୀ ମିଶ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏଥିସହ ବିଏମ୍ସି ହସ୍ପିଟାଲ୍ ରକ୍ତଭଣ୍ଡାର ଅଧିକାରୀ ଡ. କେ. କେ. ସରକାର, ସିଡିଓଇ ନିର୍ଦ୍ଦେଶକ ଡ. ସୁଜିତ କୁମାର ଆଚାର୍ଯ୍ୟ, ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ମମତାରାଣୀ ବେହେରା, ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶିବିରରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସାମାଜିକ ଉତ୍ତରଦାୟିତ୍ୱ ତଥା ମାନବସେବା ଉଦ୍ଦେଶ୍ୟରେ ସର୍ବମୋଟ ୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।