ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ପ୍ରଫେସର ବିଷ୍ଣୁ ମହାପାତ୍ରଙ୍କ ସହ ବୌଦ୍ଧିକ ଆଲୋଚନା ଚକ୍ର

0
ଭୁବନେଶ୍ୱର, ୨୩ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା କବି ପ୍ରଫେସର ବିଷ୍ଣୁ ମହାପାତ୍ରଙ୍କ ସହ ଏକ ସ୍ୱତନ୍ତ୍ର ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
କ୍ରିଆ ବିଶ୍ୱବିଦ୍ୟାଳୟର ସିଆସର ପ୍ରତିଷ୍ଠାତା ଡିନ୍ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନ୍‌ୟୁ ଓ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ରାଜନୀତି ବିଜ୍ଞାନ ଶିକ୍ଷାଦାନ କରିଥିବା ପ୍ରଫେସର ମହାପାତ୍ର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ‘ଆନ୍ତଃ-ବିଭାଗୀୟ ଶିକ୍ଷାଦାନ’ ଓ ଏକାଡେମିକ୍ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ସେ ‘ୱାର୍ଲ୍ଡ ହ୍ୟୁମାନିଟିଜ୍ ରିପୋର୍ଟ’ ଆଧାରରେ ବଦଳୁଥିବା ମାନବିକ ବିଷୟ ବସ୍ତୁର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହ ନିଜର ସାହିତ୍ୟିକ ସର୍ଜନା, ବିଶେଷ କରି ପାବ୍ଲୋ ନେରୁଦାଙ୍କ କବିତାର ଓଡ଼ିଆ ଅନୁବାଦ ଓ ଇଂରାଜୀ କବିତା ସଂକଳନ ‘ଏ ଫ୍ରାଜାଇଲ୍ ୱାର୍ଲ୍ଡ’ ସମ୍ପର୍କରେ ଚର୍ଚ୍ଚା କରିଥିଲେ। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ରେଜିଷ୍ଟ୍ରାର ଡ. ସ୍ୱାତୀ ମିଶ୍ର, ଗବେଷଣା ଓ ଉନ୍ନୟନ ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ ପାତ୍ରଙ୍କ ସମେତ ଇଂରାଜୀ, ଅର୍ଥନୀତି, ଇତିହାସ, ଓଡ଼ିଆ, ମନୋବିଜ୍ଞାନ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ-ଅଧ୍ୟାପିକାମାନେ ଯୋଗ ଦେଇଥିଲେ।
କୁଳପତି ପ୍ରଫେସର ନନ୍ଦ ଏହି ଅବସରରେ ପ୍ରଫେସର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Leave A Reply

Your email address will not be published.