ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ; ଭାରତକୁ ୪ ୟୁରୋପୀୟ ଦେଶର ସମର୍ଥନ

ନୂଆଦିଲ୍ଲୀ : ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ସାମିଲ କରିବାକୁ ୟୁରୋପର ୪ଟି ଦେଶ ସମର୍ଥନ କରିଛନ୍ତି। ୮୧ତମ ଜାତିସଂଘ ସାଧାରଣ ପରିଷଦରେ ଭିସେଗ୍ରାଡ୍ ଗ୍ରୁପ୍ (ଭି-୪)ର ଚାରି ସଦସ୍ୟ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟ ଭାରତର ଦାବି ପ୍ରତି ସମର୍ଥନ ଜଣାଇଛନ୍ତି।
ଭି-୪ ଗ୍ରୁପ୍ ସହିତ ଭାରତର ପ୍ରଥମ ବୈଠକ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ସମୟରେ ହୋଇଥିଲା। ବୈଠକରେ ଭାରତର ଏସ୍‌.ଜୟଶଙ୍କର ଭି-୪ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଜୟଶଙ୍କରଙ୍କୁ ସାକ୍ଷାତ କରିବା ପରେ ସ୍ଲୋଭାକିଆ ବୈଦେଶିକ ମନ୍ତ୍ରୀ ଜୁରାଜ ବ୍ଲାନର କହିଛନ୍ତି, ଭି-୪ ଦେଶ ଭାବେ ଆମେ ସମସ୍ତେ ସହମତ ଯେ, ଗ୍ଳୋବାଲ ସାଉଥ୍ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ଉଦୀୟମାନ ମହାଶକ୍ତି ହୋଇଥିବାରୁ ଭାରତ ସ୍ଥାୟୀ ସଦସ୍ୟ ଭାବେ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ହେବା ଉଚିତ୍।
ସୂଚନାଥାଉ କି ସୁରକ୍ଷା ପରିଷଦରେ ସ୍ଥାନ ପାଇଁ ଭାରତର ଦାବିକୁ ଏହାର ଅନେକ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି। ଫ୍ରାନ୍ସ ନିରନ୍ତର ଭାରତର ଦାବିକୁ ସମର୍ଥନ କରିଆସିଛି। ବ୍ରିଟେନ ମଧ୍ୟ ପରିଷଦର ବିସ୍ତାର ଏବଂ ଭାରତକୁ ଏଥିରେ ସାମିଲ କରିବାକୁ ସମର୍ଥନ କରିଛି।

Comments are closed.