ଗଜପତି,୧୧.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ମାଦକ ଦ୍ରବ୍ୟ ନଷ୍ଟିକରଣ କମିଟିର ଅନୁମୋଦନ ଅନୁଯାୟୀ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ସ୍ଥିତ ଭସ୍ମକ କେନ୍ଦ୍ରରେ ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଛି।ମୋଟ ୫୩ଟି ମାମଲାରେ ଜବତ ୧୩,୩୪୬.୧୭୯ କିଲୋଗ୍ରାମ, ଅର୍ଥାତ୍ ପ୍ରାୟ ୧୩.୩୪୬ ମେଟ୍ରିକ୍ ଟନ୍ ଗଞ୍ଜେଇ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଭସ୍ମ କରାଯାଇଛି।ନଷ୍ଟ କରାଯାଇଥିବା ଗଞ୍ଜେଇ ମଧ୍ୟରୁ ପୋଲିସ ବିଭାଗର ୨୩ଟି ମାମଲାର ୧୧,୫୪୧.୪୨୯ କିଲୋଗ୍ରାମ ଏବଂ ଅବକାରୀ ବିଭାଗର ୩୦ଟି ମାମଲାର ୧,୮୦୪.୭୫୦ କିଲୋଗ୍ରାମ ଗଞ୍ଜେଇ ରହିଥିଲା।ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ସମୟରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପୋଲିସ ଉପ ମହାନିରୀକ୍ଷକ ଶ୍ରୀ ଜୟ ନାରାୟଣ ପଙ୍କଜ, ଆଇପିଏସ୍, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଓଡ଼ିଶା ସ୍ପେଶାଲ ଟାସ୍କ ଫୋର୍ସର ଆରକ୍ଷୀ ଅଧିକ୍ଷକ, ଗଜପତି ଅବକାରୀ ଅଧିକ୍ଷକ, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଗଜପତି ସମେତ ଓଡ଼ିଶାର ଗଞ୍ଜେଇ ପ୍ରବଣ ଜିଲ୍ଲାଗୁଡ଼ିକରେ ଅବୈଧ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବିରୋଧରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଜୋରଦାର ଧରପଗଡ ଅଭିଯାନ ଜାରି ରହିଛି।