ଗଜପତିରେ ‘ମିନି କୃଷି ମେଳା ଅନୁଷ୍ଠିତ।ସ୍ଥାୟୀ ଜ୍ଞାନକୌଶଳ ଓ ଆଧୁନିକ ଚାଷ ପ୍ରଣାଳୀ ଆପଣେଇବାକୁ ଚାଷୀଙ୍କୁ ଆହ୍ୱାନ ।

0

ଗଜପତି,୧୧.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ‘ମିନି କିଷାନ ମେଳା’ ଅନୁଷ୍ଠିତ ହୋଇଯାଇଛି।ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ଏମ୍.ଏସ୍. ସ୍ୱାମୀନାଥନ ସ୍କୁଲ ଅଫ୍ ଏଗ୍ରିକଲଚରର ଚତୁର୍ଥ ବର୍ଷ କୃଷି ଛାତ୍ରଛାତ୍ରୀମାନେ ‘ରାୱେ’ (ଗ୍ରାମୀଣ କୃଷି କାର୍ଯ୍ୟ ଅଭିଜ୍ଞତା) କାର୍ଯ୍ୟକ୍ରମ ଅଧୀନରେ ଏହି ମେଳା ଆୟୋଜିତ ହୋଇଥିଲା।ଶରଧାପୁର ସରପଞ୍ଚ ସି.ଏଚ୍. ପ୍ରସାଦ ରାଓଙ୍କ ସଭାପତିତ୍ୱରେ ଆୟୋଜିତ ମେଳାରେ ଗଜପତି ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଏମ୍. ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା, ସବସିଡି, ଆଧୁନିକ ଫସଲ ପରିଚାଳନା ଓ କୃଷି ଯାନ୍ତ୍ରିକୀକରଣ ସମ୍ପର୍କରେ ସୂଚନା ଦେଇଥିଲେ।ଏମ୍.ଏସ୍. ସ୍ୱାମୀନାଥନ ସ୍କୁଲ ଅଫ୍ ଏଗ୍ରିକଲଚରର ରାୱେ କାର୍ଯ୍ୟକ୍ରମ ସଂଯୋଜକ ଡଃ ପି.ଏନ୍. ହର୍ଷ ବର୍ଦ୍ଧନ ଓ ସହଯୋଗୀ ଡିନ୍ (ଏକାଡେମିକ୍ସ) ଡଃ ବି. ପ୍ରବୀଣ ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ, ଜୈବିକ ଚାଷ ଓ ସ୍ଥାୟୀ କୃଷି ବିକାଶ ଉପରେ ଚାଷୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।ମେଳାରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବୈଜ୍ଞାନିକ କୃଷି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ଜିଆଖତ(ଭର୍ମିକମ୍ପୋଷ୍ଟ), ଆଜୋଲା ଚାଷ, ଷ୍ଟିଭିଆ ଚାଷ, ଇନସେକ୍ଟ ଟ୍ରାପ୍, ବ୍ଲାକ୍ ସୋଲଜର୍ ଫ୍ଲାଇ, ଟ୍ରାଇକୋଗ୍ରାମା କାର୍ଡ, ଜୈବିକ ସାର ଓ ପ୍ରାକୃତିକ କୀଟନାଶକ, ଉନ୍ନତ କିସମର ପନିପରିବା ମଞ୍ଜି, ଗେଣ୍ଡୁ ଫୁଲ ଚାଷ, ଛତୁ ଚାଷ ସହ ନାନୋ ୟୁରିଆ ଓ ନାନୋ ଡିଏପିର ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା।ଗୋଷାଣି ବ୍ଲକର ଶରଧାପୁର, ଯୁବରାଜପୁର, ଭୁଷକୁଡି, ଦେବିତି ଓ କୁଡୁଡା ସମେତ ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଏହି ମେଳାରେ ଯୋଗ ଦେଇଥିଲେ। ଚାଷୀମାନେ ଫସଲରେ ପୋକ ଓ ରୋଗ ନିୟନ୍ତ୍ରଣ, ସାରର ସନ୍ତୁଳିତ ବ୍ୟବହାର ଓ ଅମଳ ପରବର୍ତ୍ତୀ ପନିପରିବା ସଂରକ୍ଷଣ ଆଦି ସମ୍ପର୍କରେ ବିଶେଷଜ୍ଞ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।ଛାତ୍ରଛାତ୍ରୀମାନେ ସରଳ ଭାଷାରେ ବୈଜ୍ଞାନିକ ଚାଷ ପଦ୍ଧତି ବୁଝାଇବା ସହ କୃଷିରେ ନୂତନ ଜ୍ଞାନକୌଶଳ ଆପଣେଇବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ମେଳା ଗ୍ରାମୀଣ କୃଷି ଅର୍ଥନୀତିର ବିକାଶ, ସ୍ଥାୟୀ କୃଷି ପ୍ରଣାଳୀର ପ୍ରସାର ଓ କୃଷି-ଷ୍ଟାର୍ଟଅପ୍ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ାଇବାରେ ସହାୟକ ହୋଇଥିଲା। ଚାଷୀଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ମିନି କୃଷି ମେଳାଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.