ସ୍ୱାଧିନତାର ୮୫ ବର୍ଷ ପରେ ବି ପକ୍କା ରାସ୍ତାଟିଏ ନ ଥିବାରୁ ଇଂଲିଶପେଣ୍ଠ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ।

ଗଜପତି,୫.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦର ବ୍ଲକ ଗୋଷାଣି ଅନ୍ତର୍ଗତ ବଡଗୋଷାଣି ପଞ୍ଚାୟତର ଇଂଲିଶପେଣ୍ଠ ଏକ ପୁରାତନ ରାଜସ୍ୱ ଗ୍ରାମ ଅଟେ। ଇତିହାସ ଅନୁଯାୟୀ ଇଂରେଜ ଶାସନ କାଳରେ ଏହି ଅଞ୍ଚଳରେ ବ୍ରିଟିଶ ମାନେ ରହୁଥିବା ଯୋଗୁଁ ଏହି ଗ୍ରାମର ନାମକରଣ ‘ଇଂଲିଶପେଣ୍ଠ’ ହୋଇଥିବା କୁହାଯାଏ। ଗୋଷାଣି ଅଞ୍ଚଳରେ ପ୍ରସିଦ୍ଧ ନୀଳ ଚାଷ ପାଇଁ ମଧ୍ୟ ଏହି ଗାଁର ଏକ ସ୍ୱତନ୍ତ୍ର ପରିଚୟ ରହିଛି।କିନ୍ତୁ ଦୁଃଖର ବିଷୟ ଐତିହ୍ୟ ସମ୍ପନ୍ନ ଗ୍ରାମର ବାସିନ୍ଦା ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ବିଶେଷକରି ରାସ୍ତାର ଦୂରାବସ୍ଥା ଓ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମ ନିକଟରେ ଜଙ୍ଗଲ ରହିଥିବାରୁ ବାରହା ଗୁଡ଼ିକ ନିୟମିତ ଭାବେ ଗ୍ରାମ ଭିତରେ ପଶିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଫଳରେ ସନ୍ଧ୍ୟା ପରେ ସ୍କୁଲ, କଲେଜ ଓ ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତିତ ଅଛନ୍ତି। ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ବନ୍ୟଜନ୍ତୁ ଆକ୍ରମଣ ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି।ବର୍ଷା ହେଲେ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ବେଳେ ଅସୁସ୍ଥ ଲୋକଙ୍କୁ ଡାକ୍ତରଖାନା ନେବା ପାଇଁ କଷ୍ଟକର ହେଉଥିବା ଗ୍ରାମବାସୀ କହିଛନ୍ତି। ଏହାର ପ୍ରଭାବ ସାମାଜିକ ଜୀବନ ଉପରେ ପଡ଼ୁଛି। ରାସ୍ତାର ଅବସ୍ଥା ଦେଖି ଏହି ଗାଁକୁ ଝିଅ କିମ୍ବା ପୁଅ ବିବାହ ଦେବାକୁ ଅନେକ ପରିବାର ପଛାଉଥିବା ଅଭିଯୋଗ ହୋଇଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସ୍ୱାଧୀନତାର ୮୫ ବର୍ଷ ପରେ ବି ଏକ ରାଜସ୍ୱ ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି।ଅନ୍ୟପକ୍ଷରେ, ବିଧାୟକ ପାଣ୍ଠିରୁ ୨୦୨୨-୨୩ ମସିହାରେ ୫ ଲକ୍ଷ ଟଙ୍କା ବ୍ୟୟରେ ସିମେଣ୍ଟ ରାସ୍ତା ନିର୍ମାଣ ହୋଇଥିବା ଉଲ୍ଲେଖ ରହିଥିବା ସତ୍ତ୍ୱେ ପ୍ରକୃତରେ କଂକ୍ରିଟ୍ ରାସ୍ତା କେଉଁଠି ଅଛି ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି।ଏହି କାମର ମାନ, ବ୍ୟୟ ଓ ପ୍ରକୃତ ସ୍ଥିତି ସମ୍ପର୍କରେ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ରାସ୍ତାର ତୁରନ୍ତ ମରାମତି, ଷ୍ଟ୍ରିଟ୍‌ଲାଇଟ୍ ବ୍ୟବସ୍ଥା ଓ ବନ୍ୟଜନ୍ତୁ ଚଳାଚଳ କରୁଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।

Comments are closed.