ନବରଙ୍ଗପୁରର ବିଭିନ୍ନ ଲାମ୍ପସ୍ ପରିଦର୍ଶନ କଲେ ସ୍ୱତନ୍ତ୍ର ଶାସନ ସଚିବ କୃଷକ ପଞ୍ଜୀକରଣ ସ୍ଥିତି ସମୀକ୍ଷା,

ସମୟସୀମା ମଧ୍ୟରେ ପଞ୍ଜୀକରଣ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ

ନବରଙ୍ଗପୁର, 05/09/26(ଶେଖର ଖୁରା) କୃଷକମାନଙ୍କ ସୁବିଧା, ସ୍ୱଚ୍ଛତା ଓ ସମୟବଦ୍ଧ ଭାବେ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପୁରନ୍ଦର ଧାରୁଆ ଶନିବାର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଲାମ୍ପସ୍ ପରିଦର୍ଶନ କରିଛନ୍ତି।

ପରିଦର୍ଶନ ସମୟରେ ସେ ଲାମ୍ପସ୍‌ଗୁଡ଼ିକର କାର୍ଯ୍ୟକଳାପ, କୃଷକ ପଞ୍ଜୀକରଣର ଅଗ୍ରଗତି ଏବଂ ପଞ୍ଜୀକରଣ ସମୟରେ ଦେଖାଦେଉଥିବା ବ୍ୟବହାରିକ ସମସ୍ୟା ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କଠାରୁ ତଥ୍ୟ ନେଇଥିଲେ। ପଞ୍ଜୀକରଣ ପାଇଁ ଆବଶ୍ୟକ ଦସ୍ତାବିଜ, ତଥ୍ୟ ଯାଞ୍ଚ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ।

ଏହି ଅବସରରେ ଶ୍ରୀ ଧାରୁଆ ସ୍ଥାନୀୟ କୃଷକମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜୀକରଣ ସମ୍ପର୍କିତ ସମସ୍ୟା, ମତାମତ ଓ ପ୍ରସ୍ତାବ ଶୁଣିଥିଲେ। କୃଷକମାନେ ଯେପରି ପଞ୍ଜୀକରଣ ସମୟରେ ଅନାବଶ୍ୟକ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ଯୋଗ୍ୟ କୃଷକମାନେ ସରକାରୀ କ୍ରୟ ବ୍ୟବସ୍ଥାର ସୁବିଧା ପାଇପାରନ୍ତି, ସେଥିପାଇଁ କ୍ଷେତ୍ରସ୍ତରରେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଯୋଗ୍ୟ କୃଷକମାନଙ୍କ ପଞ୍ଜୀକରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ପଞ୍ଜୀକରଣରୁ ବଞ୍ଚିତ କିମ୍ବା ଅବଶିଷ୍ଟ ଥିବା କୃଷକମାନଙ୍କୁ ଚିହ୍ନଟ କରି ପଞ୍ଜୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ଲାମ୍ପସ୍ ନିଜ ଅଧୀନ ଅଞ୍ଚଳର ପଞ୍ଜୀକରଣ ସ୍ଥିତି ନିୟମିତ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ।

ଏଥିସହ ପଞ୍ଜୀକରଣ ପ୍ରକ୍ରିୟାରେ ପାରଦର୍ଶିତା, ତଥ୍ୟର ସଠିକତା ଓ ପ୍ରଶାସନିକ ଦାୟିତ୍ୱବୋଧ ନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିୟମିତ ତଦାରଖ ଓ ଅନୁସରଣ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଆଗାମୀ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ, ସ୍ୱଚ୍ଛ ଓ କୃଷକ-ଅନୁକୂଳ କରିବା ପାଇଁ ଲାମ୍ପସ୍‌, ଯୋଗାଣ ବିଭାଗ, ସମବାୟ ବିଭାଗ ଓ କୃଷକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପରିଦର୍ଶନ ସମୟରେ ନବରଙ୍ଗପୁର ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି, ଜିଲ୍ଲା ସମବାୟ ସମିତି ନିବନ୍ଧକଙ୍କ ସମେତ ସମ୍ପୃକ୍ତ ଲାମ୍ପସ୍‌ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସେମାନେ ଜିଲ୍ଲାରେ ଚାଲୁଥିବା କୃଷକ ପଞ୍ଜୀକରଣ, ଲାମ୍ପସ୍‌ ସ୍ତରରେ ଉପଲବ୍ଧ ସୁବିଧା ଏବଂ ଆଗାମୀ କ୍ରୟ ବ୍ୟବସ୍ଥା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସଚିବଙ୍କୁ ଅବଗତ କରାଇଥିଲେ।

କୃଷକମାନଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମୟବଦ୍ଧ ଓ ସ୍ୱଚ୍ଛ ଭାବେ ପଞ୍ଜୀକରଣ ଏବଂ ଆଗାମୀ କ୍ରୟ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଜାରି ରହିଛି।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l

Comments are closed.