ଗୋଷ୍ଠୀ ସଂଘର୍ଷରେ ୧୦ ଆହତ,୨ ଗିରଫ ୧୦ ଥାନାରେ ଅଟକ

0

ପଟ୍ଟାମୁଣ୍ଡାଇ ୨/୯: କଥା କଟାକଟିକୁ କେନ୍ଦ୍ରକରି ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଗଗୁଆ ଛକ ଠାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ସଂଘର୍ଷରେ ଉଭୟପକ୍ଷର ୧୦ରୁ ଅଧିକ‌ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ଗୁରୁତର ଅବସ୍ତାରେ କଟକ ସ୍ଥାନାନ୍ତରକରାଯାଇଛି।ଏହି ଘଟଣାକୁ ନେଇ ଅଂଚଳରେ ଉତେଜନାଲାଗି ରହିଥିବା ବେଳେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଗଗୁଆ ଜେନାସାହିର ୩ରୁ ୪ଜଣ ଯୁବକ ଗଗୁଆ ଛକ ନିକଟରେ ଥିବା ଏକ ଚିକେନ ଦୋକାନକୁ ଯାଇଥିଲେ ।ଏହି ସମୟରେ ଚିକେନ ନେବାଲାଗି ଯାଇଥିବା ଦୋଵନ୍ଧା ଗ୍ରାମର ସେକ ଅଜିମ୍ (୨୨)ଙ୍କ ସହ କୈାଣସି କାରଣରୁ ଯୁବକ ମାନଙ୍କର ବଚସା ହୋଇଥିଲା।ଏହାପରେ ଯୁବକମାନେ ସଂଘବଦ୍ଧ ଭାବେ ଅଜିମ୍ କୁ ପ୍ରାଣାନ୍ତକ ଆକ୍ରମଣକରିଥିଲେ।ଏହି ଖବର ଦୋଵନ୍ଧା ଗ୍ରାମରେ ପହଞ୍ଚିଵା ପରେ ତିଵ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୋଵନ୍ଧା ଗ୍ରାମର ବହୁଲୋକ ଏକତ୍ରିତ ହୋଇ ଜେନାସାହୀ ଆଡ଼କୁ ଆସିଥିଲେ।ଏହାପରେ ଜେନାସାହୀ ଓ ଦୋଵନ୍ଧା ଗ୍ରାମବାସୀ ପରସ୍ପର ଉପରକୁ ଟେକାପଥର ମାଡ଼ ଆରମ୍ଭ କରିଦେଇଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଁଚିଯିଵାରୁ ଉଭୟପକ୍ଷ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ପୁଲିସ ଗୁରୁତର ଆହତ ଅଜିମକୁ ଉଦ୍ଧାରକରି ପଟ୍ଟାମୁଣ୍ଡାଇ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।ସେକ ଅଜିମ୍ କୁ ଆକ୍ରମଣ ଅଭିଯୋଗରେ ପୁଲିସ ଜିତେନ୍ଦ୍ର ଜେନା ଓ ଗୈାତମ ଜେନାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ବୋଲି ଥାନା ଆଇଆଇସି ମାନସ ମଲ୍ଲିକ ସୂଚନା ଦେଇଛନ୍ତି। ଉଭୟପକ୍ଷର ଏତଲା ଆଧାରରେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଅଂଚଳରେ ପୁଲିସ ଫୋର୍ସ ମୂତୟନ କରାଯାଇଥିବା ଵେଳେ ୧୦ ଜଣଙ୍କୁ ଥାନାରେ ଅଟକରଖି ପଚରାଉଚରା କରାଯାଉଛି। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଆଇଆଇସି ଶ୍ରୀ ମଲ୍ଲିକ କହିଛନ୍ତି। ଅପରପକ୍ଷରେ ଦୋଵନ୍ଧାରେ ଆଜି ରାତିରେ ଧାର୍ମିକ କାର୍ଯ୍ୟକ୍ରମ “ଜଲସା” ହେଉଥିବାରୁ ପରିସ୍ଥିତି ଉପରେ ପୁଲିସ ସତର୍କ ଦୃଷ୍ଟି ରଖିଛି।

Leave A Reply

Your email address will not be published.