ନୀଳରକ୍ତ କଙ୍କଡ଼ାର ସୁରକ୍ଷା ନିମନ୍ତେ ପାଳିତ ହେଲା ୧୦ମ ରକ୍ଷାବନ୍ଧନ ଉତ୍ସବ

•ଗ୍ରାମବାସୀଙ୍କୁ  ମହିଳାମାନେ ବାନ୍ଧିଲେ ନୀଳରକ୍ତ କଙ୍କଡ଼ା ମୁଦ୍ରିତ ରାକ୍ଷୀ

0
ବାଲେଶ୍ୱର ୨୯/୮(କୃଷ୍ଣ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ବାଲେଶ୍ୱର ସଦର ବ୍ଲକର ଦୁବଲାଗଡିରେ ନୀଳରକ୍ତ କଙ୍କଡ଼ା ମୁଦ୍ରିତ ରାକ୍ଷୀ ଗ୍ରାମବାସୀଙ୍କୁ ମହିଳାମାନେ ବାନ୍ଧି ନୀଳରକ୍ତ କଙ୍କଡ଼ାର ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।
ବାଲେଶ୍ୱରର ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ ତଥା ଦୁବଲାଗଡିର ୟୁନାଇଟେଡ କ୍ଲବ୍ ର ମିଳିତ ଉଦ୍ୟମରେ ଦୁବଲାଗଡିର ୟୁନାଇଟେଡ କ୍ଲବ୍ ପରିସରରେ ୧୦ମ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି।
ପୂର୍ବାହ୍ନରେ କ୍ଳବର ସଦସ୍ୟ ସଦସ୍ୟା ମାନେ ଦୁବଲାଗଡି ବେଳାଭୂମି ସଫେଇ କରଯାଇଥିବା ବେଳେ  ଅପରାହ୍ନରେ  ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା । ଏହି ସଭାକାର୍ଯ୍ୟରେ  ୟୁନାଇଟେଡ କ୍ଲବ୍ ର ସଭାପତି  ଗୋବିନ୍ଦ ପ୍ରସାଦ ଦାସ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୀଳରକ୍ତ କଙ୍କଡ଼ା ଓ  ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ସମ୍ପାଦକ  ଗବେଷକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ନୀଳରକ୍ତ କଙ୍କଡ଼ାର ଜୀବନ ଶୈଳୀ ତଥା ଉପକାରିତା ଉପରେ ଆଲୋକପାତ କରି ଗ୍ରାମବାସୀ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।
ମୁଖ୍ୟ ଅତିଥି  ଭାବେ ‘ଯୁବ ବିକାଶ’ର ମୁଖ୍ୟ ଗୋବିନ୍ଦ  ଦଳାଇ, ସମ୍ମାନିତ ଅତିଥି ଭାବରେ  କବି ଗଗନ ସେଠୀ ଏବଂ ଗ୍ରାମ୍ୟ ମୁଖ୍ୟ ନନ୍ଦଦୁଲାଲ ସାହୁ ଯୋଗଦେଇ ନୀଳରକ୍ତ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦେଇଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ନେପାଳର ଭୟଙ୍କର ବନ୍ୟା ଜନିତ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
Leave A Reply

Your email address will not be published.