ବାଲେଶ୍ୱର, ଅଗଷ୍ଟ ୨୬ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ମାଟିର ଚିତ୍ରଶିଳ୍ପୀ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ବିଭାଗର ସହକାରୀ ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ କଳାକୃତି କଳାହାଣ୍ଡିରେ ପ୍ରଶଂସା ସାଉଁଟିବା ସହ ତାଙ୍କୁ ଦେଇଛି ସମ୍ମାନ।
ଭବାନୀପାଟଣାସ୍ଥିତ ରାଜବାଟି ସଭାମଣ୍ଡପରେ ଅଗଷ୍ଟ ୨୨ ଓ ୨୩ରେ ଆୟୋଜିତ ଦୁଇଦିନିଆ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀରେ ତାଙ୍କ ସେମି-ରିଏଲିଷ୍ଟିକ୍ ଆକ୍ରିଲିକ୍ ଚିତ୍ର ‘ଅସ୍ମିତାର ପ୍ରତିଧ୍ୱନି: ଏକ ନୂତନ ଦ୍ୱନ୍ଦ୍ୱ’ (Echoes of Identity: The New Dilemma) ଦର୍ଶକଙ୍କ ମନ ଜିଣିଥିଲା।

‘ମହାରାଜା ଉଦିତ ପ୍ରତାପ ଦେଓ ସ୍କୁଲ୍ ଅଫ୍ ଆର୍ଟ’ ପକ୍ଷରୁ ଆୟୋଜିତ ଏହି କର୍ମଶାଳା ଓ ପ୍ରଦର୍ଶନୀରେ ଆଦିବାସୀ ଜୀବନ, ପରମ୍ପରା ଓ ଆଧୁନିକତା ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ନେଇ ନିତ୍ୟାନନ୍ଦଙ୍କ କଳାକୃତି ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଚିତ୍ରରେ ଗୋଟିଏ ପଟେ ସୁପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା, ଅନ୍ୟପଟେ ଆଧୁନିକ ପ୍ରଗତି ଓ ପରିବର୍ତ୍ତନକୁ ଗ୍ରହଣ କରିବାର ଆହ୍ୱାନକୁ ଶିଳ୍ପୀ ଚିତ୍ରଭାଷାରେ ରୂପ ଦେଇଛନ୍ତି।
“ପରମ୍ପରା ଓ ପରିବର୍ତ୍ତନର ସନ୍ଧିକ୍ଷଣରେ ଛିଡ଼ା ହୋଇଥିବା ଏକ ସମାଜର ଅନ୍ତର୍ଦ୍ୱନ୍ଦ୍ୱକୁ କଳା ମାଧ୍ୟମରେ ରୂପ ଦେବାକୁ ମୁଁ ପ୍ରୟାସ କରିଛି,” ବୋଲି ଶିଳ୍ପୀ ନିତ୍ୟାନନ୍ଦ ସାହୁ କହିଛନ୍ତି।
କର୍ମଶାଳାରେ ନିତ୍ୟାନନ୍ଦଙ୍କୁ ଉଷ୍ଣ ଆତିଥ୍ୟ ଓ ସମ୍ମାନ ମିଳିଥିବା ବେଳେ ଏକ ଭାବବିହ୍ୱଳ ଘଟଣା ତାଙ୍କ ପାଇଁ ସ୍ମରଣୀୟ ହୋଇଥିଲା। ପଞ୍ଚମ ଶ୍ରେଣୀର ଛାତ୍ରୀ ତଥା ପ୍ରତିଭାଶାଳୀ ଚିତ୍ରଶିଳ୍ପୀ ପ୍ରତ୍ୟୁଷା ସିଂ (ନୈନା) ନିଜ ହାତରେ ପେନସିଲ୍ରେ କଳାହାଣ୍ଡିର ମହାରାଜା ଅନନ୍ତ ପ୍ରତାପ ଦେଓ ଓ ଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କ ଦୁଇଟି ପ୍ରତିକୃତି ଅଙ୍କନ କରି ମଞ୍ଚରେ ଉପହାର ଦେଇଥିଲେ।
‘ମହାରାଜା ଉଦିତ ପ୍ରତାପ ଦେଓ ସ୍କୁଲ୍ ଅଫ୍ ଆର୍ଟ’ର ପ୍ରତିଷ୍ଠାତା ତଥା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ବିଭାଗର ଅଧ୍ୟାପକ ଖୀରସିନ୍ଧୁ ଭୋଇ ଓ କଳା ଶିକ୍ଷୟିତ୍ରୀ ଭାରତୀ ସାହୁଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରକଳା, ମୂର୍ତ୍ତିକଳା, ରଙ୍ଗୋଲି ଓ ମଣ୍ଡଳା ଆର୍ଟ ପ୍ରତିଯୋଗିତା ହୋଇଥିଲା। ଏଥିସହ କଳାହାଣ୍ଡିର ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
ନିମନ୍ତ୍ରିତ ଅତିଥି ଶିଳ୍ପୀ ଭାବେ ନିତ୍ୟାନନ୍ଦ ସାହୁ କର୍ମଶାଳାର ଉଦ୍ଘାଟନ କରିଥିଲେ। କର୍ମଶାଳାରେ ଶିଳ୍ପୀମାନେ ବିଭିନ୍ନ ବିଷୟ ଓ ଭାବଧାରାକୁ ନେଇ କ୍ୟାନଭାସ୍ରେ ରଙ୍ଗର ରୂପ ଦେଇଥିଲେ।
ଉଦ୍ଯାପନୀ ସମାରୋହରେ କଳାହାଣ୍ଡିର ମହାରାଜା ଅନନ୍ତ ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୀମାଞ୍ଚଳ ମିଶ୍ର, ନିମନ୍ତ୍ରିତ ଶିଳ୍ପୀ ନିତ୍ୟାନନ୍ଦ ସାହୁ ଏବଂ ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ କଳା, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଅକ୍ଷୟ କୁମାର ପଟ୍ଟନାୟକ, ‘ପ୍ରତିଭା’ ଅନୁଷ୍ଠାନର ସଭାପତି ତଥା ନୃତ୍ୟଗୁରୁ ଧ୍ୟାନାନନ୍ଦ ପଣ୍ଡା ଏବଂ ଶିକ୍ଷାବିତ୍ ସମୀର କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା।
କର୍ମଶାଳାରେ ନିତ୍ୟାନନ୍ଦ ସାହୁଙ୍କ ସମେତ ତରୁଣ ମହାପାତ୍ର, ଅନୂପ କୁମାର ପଟ୍ଟନାୟକ, ସଂଗ୍ରାମ କେଶରୀ ସରାଫ, ମନୋଜ କୁମାର ରାଉତ, ଚିନ୍ତୁ ପ୍ରସାଦ ନାଏକ, ରଘୁନାଥ ଠାକୁର, ମାନସ ରଞ୍ଜନ ପଣ୍ଡା, ଅଙ୍କିତ ଯାଦବ, ସ୍ମିତା ଚୌଧୁରୀ, ଧର୍ମେନ୍ଦ୍ର ସାଗର, ଅକେଶ ଧରୁଆ, ସରୋଜ ବିଶି, ପ୍ରକାଶ ବାଗ, ସାରିକା ଜୈନ୍, ଦିନେଶ ବିଶି, ସୁକାନ୍ତ ପ୍ରଧାନୀ, ସମୀର ନାଏକ, ପ୍ରତୀକ୍ଷା ଭୋଇ, ରଚନା ସାହୁ, ପ୍ରକାଶ ନାଏକ, ବିଭୂତି ଓ ଅଶ୍ୱିନୀ ଆଚାରୀ ପ୍ରମୁଖ ଶିଳ୍ପୀ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ ଚିତ୍ରଶିଳ୍ପୀ ଅଙ୍କିତ ଯାଦବ ଓ ସ୍ମିତା ଚୌଧୁରୀ କରିଥିବା ବେଳେ ଅଙ୍କିତ ଯାଦବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।